(ଅଜିତ ସାହୁ / ଜଳେଶ୍ୱର) ; ମହାମାରୀ କୋରୋନା ଦ୍ୱିତୀୟ ଲହରରେ ଓଡିଶାରେ ଦୈନିକ ସଙ୍କ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଙ୍କ୍ରମଣକୁ ନିୟନ୍ତ୍ରଣ କରି କୋରନାକୁ ହରାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଦିନ ୧୨ଟା ପର୍ୟ୍ୟନ୍ତ କେବଳ ଅତିଆବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ନଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ସରକାରଙ୍କ ନିର୍ଦ୍ଦେଶକୁ ନମାନି, କୋଭିଡ ନିୟମ ଉଲଙ୍ଘନ କରି, ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ବଜାରରେ ଅନାବଶ୍ୟକ ଭିଡ଼ ଓ ବହୁ ଦୋକାନ ଖୋଲାଥିବା ଖବର ପାଇ, ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଥିଲା। ବାଲିଆପାଳ ଅତିରିକ୍ତ ତହସିଲଦାର ସୁବ୍ରତ ପାତ୍ର, ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା, ପୋଲିସ ଫୋର୍ସ ସହିତ, ମିଳିତ ଭାବରେ ଚଢ଼ାଉ କରି ଗୋଟିଏ ପାନ ଦୋକାନ ଓ ଜୋତା ଦୋକାନ ସିଲ କରିବା ସହିତ, ଦୁଇ ଦୋକାନୀଙ୍କଠାରୁ ଫାଇନ ଆଦାୟ କରିଛନ୍ତି।