ଦୁଷ୍ମନ୍ତ ଆତ୍ମହତ୍ୟା: ମା’ ଦେଲେ ଏଫଆଇଆର

ଭୁବନେଶ୍ୱର/କଟକ; ଆଦର୍ଶ ରାଉତ/ ଜଗନ୍ନାଥ ମହାନ୍ତି: ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଦୁଷ୍ମନ୍ତଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି । ଦୁଷ୍ମନ୍ତଙ୍କ ମା’ ଅଭିଯୋଗ କରିଥିଲେ କି କିଛି ଲୋକ ତାଙ୍କ ପୁଅକୁ ଭୁବନେଶ୍ୱର ନେଇଯାଇଥିଲେ । ସେଠାରେ ତାଙ୍କୁ ବିଷ ପିଇବାକୁ ଓ ତାଙ୍କ ହାତ କାଟିବାକୁ ବାଧ୍ୟ କରିଥିଲେ ।

ଦୁଷ୍ମନ୍ତଙ୍କ ମା’ଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି କିଛି ଅଜ୍ଞାତ ଲୋକଙ୍କ ବିରୋଧରେ । ଆଇପିସି ସେକ୍ସନ ୩୦୨ରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହି ମାମଲା ଭୁବନେଶ୍ୱରରେ ଘଟିଥିବାରୁ ମାମଲାକୁ କମିଶନରେଟ ପୁଲିସକୁ ଟ୍ରାନ୍ସଫର କରାଯିବ ବୋଲି ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ କହିଛନ୍ତି ।

ଅନ୍ୟପଟେ ଆଜି କଟକ ଏସୟୁସିଆଇ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣା ପାଇଁ ସରକାରଙ୍କୁ ଦାୟୀ କରିଛି । ଦୀର୍ଘ ଦିନ ଧରି ଚିକିତ୍ସା ନ ପାଇ ମୃତ୍ୟୁବରଣ କରିଥିବା ଦୁଷ୍ମନ୍ତଙ୍କ ପରିବାରକୁ କ୍ଷତିପୂରଣ, ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଭିତ୍ତିଭୂମି ଯୋଗାଇ ଦେବାକୁ ତଥା ସ୍ୱାସ୍ଥ୍ୟ ସେବାର ଘରୋଇକରଣ ଓ ବ୍ୟବସାୟିକରଣ ବନ୍ଦ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏସସିବି ମୁଖ୍ୟ ଫାଟକ ସମ୍ମୁଖରେ ଏହି ବିକ୍ଷୋଭ କରାଯାଇଛି । ସରକାର ଏସୟୁସିଆଇର ଦାବି ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।