ଆନନ୍ଦପୁର: ମୃତଦେହ ମହିଳାଙ୍କ ପରିଚୟ ମିଳିଛି। କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ କାର୍ୟ୍ୟାଳୟର ପରିତ୍ୟକ୍ତ କୋଠରୀରୁ ମୃତଦେହ ମିଳିଥିବା ମହିଳାଙ୍କ ପରିଚୟ ସ୍ଥାନୀୟ କେନ୍ଦୁଆ ଗାଁର ଭଗବତୀ ସା । ଶୁକ୍ରବାର ମୃତଦେହ ନିକଟରୁ ମିଳିଥିବା ମୋବାଇଲ ଫୋନରୁ ତଥ୍ୟ ପାଇ ପୋଲିସ ପରିବାର ନିକଟରେ ପହଞ୍ଚିବା ପରେ ପରିବାର ଲୋକେ ମୃତଦେହକୁ ଚିହ୍ନିଥିଲେ । ମୃତଦେହ ଚିହ୍ନଟ ପରେ ଘଟଣା ଉପରୁ ଧିରେ ଧିରେ ପରଦା ଉଠିବାରେ ଲାଗିଛି । ପରିବାର ଲୋକେ ଏହା ଆତ୍ମହତ୍ୟା ନୁହଁ ବରଂ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି ।
ପଡୋଶୀ ଗଦାଧର ଦେହୁରୀଙ୍କ ପରିବାର ଲୋକେ ଗତ ଡିସେମ୍ବର ୮ ତାରିଖରେ କୌଣସି କାରଣକୁ ନେଇ ଭଗବତୀଙ୍କ ସହ ଝଗଡା, ମାଡପିଟ କରିଥିଲେ । ଏପରିକି ତାଙ୍କୁ ଟଣାଓଟରା କରିବା ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ସେହିଦିନ ଘରୁ ବାହାରି ଥାନାରେ ଏତଲା ଦେବାକୁ ଯାଇଥିଲେ ଭଗବତୀ, ହେଲେ ଆଉ ଫେରିନଥିଲେ । ଭଗବତୀ ନିଖୋଜ ନେଇ ଡିସେମ୍ବର ୧୩ରେ ଥାନାରେ ଏକ ମାମଲା ରୁଜୁ କରିଥିଲେ ପରିବାର ଲୋକେ । ହେଲେ ପୋଲିସ ଏଦିଗରେ ବିଶେଷ ଧ୍ୟାନ ଦେଇନଥିଲା । ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇଛି ।