ଚୋରା ଗୋ ଚାଲାଣକାରୀଙ୍କୁ  କଠୋର ଦଣ୍ଡ ଦେବାପାଇଁ ସାଧାରଣରେ ଦାଵି

ରାଇରଙ୍ଗପୁର : ବାମନଘାଟୀ  ଉପଖଣ୍ଡ ପାଲଟିଛି ଗୋଚାଲାଣକାରୀଙ୍କ ଭୂସ୍ବର୍ଗ ।ପଶୁ ସଂପଦ ତଥା ଜୀବଜନ୍ତୁ  ଆଇନ ଯେତେ କଠୋର ହେଲେ ମଧ୍ୟ ଆଇନ ଉଲ୍ଲଙ୍ଘନକାରୀଙ୍କର ଶୁଣୁନାହଁନ୍ତି । ଦିନକୁଦିନ ବିଭିନ୍ନ ଅଞ୍ଚଳରେ ଗୋମାଫିଆଙ୍କ ଦୈରାତ୍ମ୍ଯ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି ।  ଚୋରା ଗୋ ମାଫିଆ ରାସ୍ତାଘାଟ,ଗୁହାଳ ଘରୁ ନିମିଷକ ମାତ୍ରେ ଗୋରୁ ଉଠାଇ ନେଇ ଜାତୀୟ ରାଜପଥ ସମେତ ଲୁଚି ଛପି  ଗଳି ରାସ୍ତାରେ ନେଇ ପଳାଉଛନ୍ତି  । ମହାଦେବ ଦେବଙ୍କ ବାହନ ଷଣ଼୍ଢ ଉପରେ ଗୋମାଫିଆଙ୍କ  ଲୋଲୁପ ଦୃଷ୍ଟି ପଡ଼ିଛି ।ରାସ୍ତାଘାଟର ଏକୁଟିଆ ପାଇ ଉଠାଇ ନେଉଛନ୍ତି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ  କାଦପାଣି ଗ୍ରାମ ନିକଟରେ। ଘଟଣାରୁ ଯାହା ଜଣାପଡିଛି ବୁଧବାର ଭୋର ପାଖାପାଖି ତିନି ଘଟିକା ସମୟରେ ବିଶୋଇରୁ ସାରସକଣା ଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତାର ବିକଳ୍ପ ରାସ୍ତା କାଦପାଣି ନିକଟରେ  OD11A2450 ନମ୍ବର ବିଶିଷ୍ଟ ଏକ ବୋଲେରୋ ଓଲଟି ପଡିଥିଲା। ଶବ୍ଦପାଇ ଆଖପାଖ ଲୋକ ଆସି ଦେଖିବାରୁ ସେଥିରେ ତିନୋଟି ଷଣ୍ଢ ଥିବା ଦେଖିବାକୁ ମିଳିଥିଲା।  ବିଶୋଇ ପୋଲିସ  ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଂଚି ତିନି ଷଣ୍ଢକୁ ଉଦ୍ଧାର କରିଥିଲେ। ଉଦ୍ଧାର ଷଣ୍ଢ ମାନଙ୍କ ମଧ୍ୟରେ ଗୋଟିଏ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଆହତ ହୋଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ସମସ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ବୋଲି ଜଣାପଡିଛି।

ବାଙ୍ଗିରିପୋଷି ଘାଟି ରାସ୍ତାର ବିକଳ୍ପ ରାସ୍ତା ଭାବରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପରେ ଏବେ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବହୁ ଚୋରା ମଦ, ଗଞେଇ,ଗୋରୁ ବୋଝେଇ ଗାଡ଼ି ଆଦି ଯାଉଥିବା ଜଣାପଡିଛି।  ଏହି ରାସ୍ତା ଦେଇ  ଗଲେ ବାଙ୍ଗିରିପୋଷି ଥାନାକୁ ସମ୍ପୁର୍ଣ୍ଣ ବାୟପାସ୍ ହେଉଥିବା ବେଳେ ଗୋ ମାଫିଆ ମାନେ ଏ ଏହି ରାସ୍ତାକୁ ସୁରକ୍ଷିତ  ମଣୁଛନ୍ତି । ବିଶୋଇ ଓ ଝାରପୋଖରିଆ ଥାନାର କିଛି କର୍ମଚାରୀଙ୍କୁ ନେଇ  ଭରପୁର ଚୋରା କାରବାର ଚାଲିଛି ବୋଲି ଅଞ୍ଚଳବାସୀ କହିଛନ୍ତି। ଏଣୁ ଜିଲ୍ଲା ଆରକ୍ଷୀ ଗୋଚାଲାଣକାରୀ ଏବଂ ଚୋରା ଗୋ ପରିବହନ ଗାଡି  ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  ସହ  କାଦପାଣି ରାସ୍ତା ଉପରେ କଡା ନଜର ରଖିବା ପାଇଁ ବିଶୋଇ  ଝାରପୋଖରିଆ ଥାନାକୁ  ନିର୍ଦ୍ଦେଶ ଦେବା ପାଇଁ ସାଧାରଣରେ ଦାବି ହେଉଛି ।