ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁଳିମାଡ ଘଟଣାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । କ୍ରାଇମ ବ୍ରାଞ୍ଚ ଡିଜି ଅରୁଣ ବୋଥ୍ରାଙ୍କୁ ଦିଆଯାଇଛି ଦାଇତ୍ୱ | ଶ୍ରୀ ବୋଥ୍ରା ବ୍ରଜରାଜନଗର ଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ଉପରେ ଗୁଳିବିନିମୟ ଉପରେ କରୁଛନ୍ତି ପଚାର ଉଚରା | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମିଳିବା ପରେ ଘଟଣା ସ୍ଥଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଏକ ଟିମ୍ ।କେମିତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରାଗଲା ଗୁଳିମାଡ଼ ? ଏଏସଆଇ ଜଣଙ୍କ ସୁରକ୍ଷା ଦାୟିତ୍ବରେ ଥିବା ବେଳେ ନିଜ ସର୍ଭିସ ରିଭଲବଲରୁ କାହିଁକି ମାରିଲେ ଗୁଳି ? ଗୁଳି ମାଡ଼ ପଛରେ କ’ଣ ରହିଛି କାରଣ, ତାହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

ସେପଟେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । ନବ ଦାସଙ୍କୁ ଗୁଳିମାଡ଼ ଦୁର୍ଭାଗ୍ୟଜନକ ଘଟଣା । ଏହାକୁ ନେଇ ମୁଁ ସ୍ତମ୍ଭୀଭୂତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ାରୁ ଏୟାରଲିଫ୍ଟ ହୋଇ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଆପୋଲୋ ହସ୍ପିଟାଲକୁ ନିଆଗଲା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ | ସେଠାରେ ୫ଜଣିଆ ଟିମ କରୁଛନ୍ତି ଚିକିତ୍ସା | ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିର ASI ଗୋପାଳକୃଷ୍ଣ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରିଥିଲେ । ଫୁଲମାଳ ପିନ୍ଧାଇ ସ୍ବାଗତ କରିବା ପରେ ଗୋପାଳକୃଷ୍ଣ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଲାଇଥିଲେ । ବ୍ରଜରାଜନଗରର ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଗୁଳି ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଝାରସୁଗୁଡ଼ାରେ ଡିଏଚଏଚ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଥିଲା ।