ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ଆମ ରାଜ୍ୟ ଓଡ଼ିଶାରେ ମିଶନ ଶକ୍ତି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ମିଶନ୍ ଶକ୍ତି ମହିଳାମାନଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ରେ ଜଡିତ କରି ସେମାନଙ୍କର ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତିକରଣ ଲକ୍ଷ୍ୟ ରାଖିଥିଲେ l ମାତ୍ର ଦେଖାଯାଇଛି ବିଗତ ଦୁଇଟି ସାଧାରଣ ନିର୍ବାଚନ ଏବଂ ପଂଚାୟତିରାଜ ନିର୍ବାଚନରେ ରାଜନୈତିକ ସଫଳତା ପାଇଁ ମିଶନ ଶକ୍ତି କାର୍ଯ୍ୟ କରିଥିଲା l ଏମିତି ଏଥିରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀମାନଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ନିର୍ବାଚନରେ ସଫଳତା ପାଇଁ ବିଗତ ସରକାର ମିଶନ ଶକ୍ତିକୁ ମାଧ୍ୟମ କରିଥିଲା l ଏଥିପାଇଁ ଦୁଇଟି ସାଧାରଣ ନିର୍ବାଚନର ଠିକ ପୂର୍ବରୁ ବିଭିନ୍ନ ଗ୍ରାମ ସାହି, ପଡ଼ାଗୁଡିକରେ ମିଶନ ଶକ୍ତି ନାଁରେ ରାଜନୈତିକ କାର୍ଯ୍ୟକ୍ରମମାନ କରାଯାଉଥିବା ଦେଖିବାକୁ ମିଳୁଥିଲା l. ଏଥିପାଇଁ ବିଭିନ୍ନ ସ୍ଥାନରେ ବ୍ରୋଏଲର ମାଂସ ଖୁଆଇ ମିଶନ ଶକ୍ତି ନାଁରେ ଏସଏଚଜି ମହିଳାମାନଙ୍କୁ ଏକଜୁଟ କରାଯାଉଥିଲା l ମାତ୍ର ଯେତିକି ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ ବିକାଶ ହେବା କଥା ସେତିକି ହୋଇ ପାରିଲା ନାହିଁ l ବିଜାତଳା ନିକଟସ୍ଥ ବାଘିଆ ଠାରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଛି l ମାତ୍ର ଏହି ଗୃହଟିରେ ଆଉ ମହିଳାମାନଙ୍କର ଭିଡ଼ ଦେଖିବାକୁ ମିଳୁନି l ଖାଲି ଖାଁ ଖାଁ ଦେଖାଯାଉଛି l ଏମିତି ବି ଦେଖାଯାଏ ଯେ ମିଶନ ଶକ୍ତି ଯୋଜନାରେ କେବଳ କେତେ ଜଣ ମହିଳାମାନେ ହିଁ ଶାସକ ଦଳର ଛତ୍ରଛାୟା ତଳେ ରହି ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇଥିବା ବେଳେ ଅନ୍ୟମାନଙ୍କର ସେମିତି କିଛି ବିକାଶ ହୋଇ ନାହିଁ l ବିଜାତଳା ବ୍ଲକରେ ମିଶନ ଶକ୍ତି ବାଟ ବଣା ହୋଇଥିବା ସାଧାରଣରେ ଚର୍ଚ୍ଚା ଚାଲିଛି ।