ବନ୍ଦେ ମାତରମ୍‌ର ରାଷ୍ଟ୍ରଗାନ ୧୫୦ତମ ଅବସରରେ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ

ଭୁବନେଶ୍ଵର: ବନ୍ଦେ ମାତରମ୍‌ର ମନ୍ତ୍ରର ବିଜୟ ଧ୍ୱନି, ସମଗ୍ର ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତିଶାଳୀ କରିଥିଲା ଏବଂ ଜାତୀୟତାବୋଧକୁ ପ୍ରେରଣା ଦେଇଥିଲା । ଏହା ଆମ ପାଇଁ ଗର୍ବର ବିଷୟ ଯେ, ବନ୍ଦେ ମାତରମ୍‌ର ୧୫୦ ତମ ବାର୍ଷିକୀ ଅବସରରେ, ଆମେ ଏହି ଐତିହାସିକ ଅବସରର ସାକ୍ଷୀ ହେଉଛୁ। ଏହା ଏମିତି ସମୟର ଗାଥା, ଯାହା ଇତିହାସର ଅଗଣିତ ଲୁଚି ରହିଥିବା ଘଟଣା ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି,  ‘ବନ୍ଦେ ମାତରମ୍’ କେବଳ ଏକ ସାଧାରଣ ଗୀତ ନୁହେଁ। ଏହି ରାଷ୍ଟ୍ରଗୀତ ଆମ ଶିରା ପ୍ରଶିରାରେ ପ୍ରବାହିତ ହେଉଥିବା ରକ୍ତର ବେଗ, ଆଉ ଆମ ପ୍ରଶ୍ୱାସର ଗତି ସହିତ ଜଡିତ। ବଙ୍କିମ୍ ଚନ୍ଦ୍ରଙ୍କ ଆନନ୍ଦ ମଠ ଉପନ୍ୟାସ ଦେଶର ସ୍ୱାଧୀନତା ସଂଗ୍ରାମରେ ଗଭୀର ପ୍ରଭାବ ପକାଇଥିଲା। ଆନନ୍ଦ ମଠ ଉପନ୍ୟାସରେ ବନ୍ଦେ ମାତରମ୍ ଗୀତ ପ୍ରକାଶିତ ହୋଇଥିଲା।

ଦେଶପ୍ରେମକୁ କୃତ୍ରିମ ଭାବେ କାହା ମନରେ ଜୋର୍ ଜବରଦସ୍ତି ଲଦି ଦିଆ ଯାଇ ପାରେନା, ଏହା ହେଉଛି ମନଭିତରର କଥା, ହୃଦୟର କଥା। ବନ୍ଦେ ମାତରମ୍‌ ପରି କାଳଜୟୀ ଗୀତ ଆମ ହୃଦୟରେ ଦେଶ ପ୍ରେମର ଗଭୀର ଅନୁଭବ ସୃଷ୍ଟି କରେ। ବ୍ରିଟିଶ ଶାସନର ଶିକୁଳିରେ ବନ୍ଧା ଜନମାନସର ହୃଦୟରେ ଏହି ଗୀତ ଦେଶପ୍ରେମର ଜ୍ୱାଳା ଭରି ଦେଇଥିଲା। ଜୀର୍ଣ୍ଣ ମନୋବଳରେ ନୂତନ ଶକ୍ତି ଫୁଟି ଆସିଲା ଏବଂ ଆରମ୍ଭ ହେଲା ଭାରତର ସ୍ୱାଧୀନତା ସଂଗ୍ରାମର ନୂଆ ଦିଗ।