୨୪ ଦିନ ଧରି ଫେରାର୍ ରହିବା ପରେ ପୋଲିସ ଫାଶରେ ହତ୍ୟାକାରୀ ଦମ୍ପତ୍ତି। ଚେନ୍ନାଇ ଏକ୍ସପ୍ରେସରେ ଜଣେ ଓଡ଼ିଆ ମହିଳାଙ୍କ ହତ୍ୟା ଏବଂ ତାଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ନଷ୍ଟ କରିବା ମାମଲାରେ ଜଡିତ ଥିବା ଏକ ଦମ୍ପତିଙ୍କୁ ମଣିପୁରରେ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ ଆସାମର କଛାର ଜିଲ୍ଲାର ୨୨ ବର୍ଷୀୟ ମାଣିକ ଉଦ୍ଦିନ ଲସ୍କର ଏବଂ ତାଙ୍କ ୨୧ ବର୍ଷୀୟ ପତ୍ନୀ, ଓଡ଼ିଶା କେଉଁଝରର ଭାଗବତୀ ମାଝୀ ଭାବରେ ଚିହ୍ନଟ କରାଯାଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଣିପୁର ଏବଂ ତାମିଲନାଡୁ ପୋଲିସର ଏକ ମିଳିତ ଦଳ ଶନିବାର ଦିନ ଜିରିବାମ ଜିଲ୍ଲାରେ ଦମ୍ପତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ମାମଲା ଅଗଷ୍ଟ ୫ ତାରିଖରେ ସାମ୍ନାକୁ ଆସିଥିଲା। ଚେନ୍ନାଇ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରେନ୍ ଆଗ୍ରା କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନରେ ପହଞ୍ଚିବା ପରେ ଏକ ଅଣସଂରକ୍ଷିତ କୋଚରେ ଥିବା ଏକ ପରିତ୍ୟକ୍ତ ସୁଟକେସରୁ ଅସହ୍ୟ ଗନ୍ଧ ଆସୁଥିବା ଲକ୍ଷ୍ୟ କରିଥିଲେ।

ଯାତ୍ରୀମାନେ ତୁରନ୍ତ ସରକାରୀ ରେଳବାଇ ପୋଲିସ ଅଧିକାରୀଙ୍କୁ ସୁଟକେସ ବିଷୟରେ ସୂଚନା ଦେଇଥିଲେ। ଏହାକୁ ଖୋଲିବା ପରେ, ଭିତରେ ଜଣେ ମହିଳାଙ୍କ ମୁଣ୍ଡହୀନ ଏବଂ ଖଣ୍ଡବିଖଣ୍ଡିତ ମୃତଦେହ ପାଇଥିଲା। ଏନେଇ ରେଳବାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଦମ୍ପତିଙ୍କ କଥିତ ସମ୍ପୃକ୍ତି ବିଷୟରେ ସୁରାକ ପାଇଥିଲା। ଗିରଫ ହେବା ପୂର୍ବରୁ ଅଭିଯୁକ୍ତମାନେ ୨୪ ଦିନ ପର୍ଯ୍ୟନ୍ତ ଫେରାର୍ ଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ନାମ ହୟାଥୁନ୍ ନିଶା, ସେ ଜଗତସିଂହପୁରର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି।ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ସେ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।