ଟି-୨୦ କ୍ରିକେଟ୍ରେ ନୂଆ ଇତିହାସ ରଚିଲେ ଭାରତୀୟ ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ। ସୟଦ ମୁସ୍ତାକ ଅଲି ଟ୍ରଫିରେ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ରନର ବର୍ଷା। ମାତ୍ର ୬୮ଟି ବଲ୍ରେ ୧୮୧ ରନ୍ର ବିସ୍ଫୋରକ ଇନିଂସ ଖେଳି ସେ ଭାଙ୍ଗିଛନ୍ତି ଏକାଧିକ ରେକର୍ଡ। ଏପରିକି ଟି-୨୦ କ୍ରିକେଟରେ କ୍ରିସ୍ ଗେଲଙ୍କ ୧୭୫ ରନର ଐତିହାସିକ ଇନିଂସକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ପ୍ରିୟାଂଶ।

ମଙ୍ଗଳବାର ଇନ୍ଦୋରର ଡେଲି କଲେଜ ଗ୍ରାଉଣ୍ଡରେ ଦିଲ୍ଲୀ ଏବଂ ତାମିଲନାଡୁ ମଧ୍ୟରେ ଖେଳାଯାଇଥିଲା ସୟଦ ମୁସ୍ତାକ ଅଲି ଟ୍ରଫିର ଏଲିଟ୍ ଗ୍ରୁପ ବି’ର ମୁକାବିଲା। ଏହି ମ୍ୟାଚ୍ରେ ଦିଲ୍ଲୀ ଅଧିନାୟକ ପ୍ରିୟାଂଶ ଆର୍ଯ୍ୟ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ମାତ୍ର ୬୮ଟି ବଲ୍ର ସାମ୍ନା କରି ୧୯ଟି ଛକା ଓ ୭ଟି ଚୌକା ସହାୟତାରେ ୧୮୧ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଏହି ଇନିଂସ ଟି-୨୦ କ୍ରିକେଟ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର।

ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଲୁଆନ୍-ଡ୍ରେ ପ୍ରିଟୋରିୟସ। ସେ ଚଳିତ ବର୍ଷ ଟାଇଟାନ୍ସ ପକ୍ଷରୁ ନାଇଟ୍ସ ବିପକ୍ଷରେ ଅପରାଜିତ ୧୮୮ ରନ୍ କରିଥିଲେ। ଅନ୍ୟପଟେ ପ୍ରିୟାଂଶଙ୍କ ଏହି ଇନିଂସ ପଛରେ ପଡ଼ିଯାଇଛି କ୍ରିସ୍ ଗେଲ୍ଙ୍କ ୧୭୫ ରନ୍ର ରେକର୍ଡ। ୨୦୧୩ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ପୁଣେ ୱାରିୟର୍ସ ବିପକ୍ଷରେ ଗେଲ୍ ଏହି ଇନିଂସ ଖେଳିଥିଲେ।
କେବଳ ଏତିକି ନୁହେଁ, ସୟଦ ମୁସ୍ତାକ ଅଲି ଟ୍ରଫି ଇତିହାସରେ ମଧ୍ୟ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ନିଜ ନାମରେ କରିଛନ୍ତି ପ୍ରିୟାଂଶ। ଏହି କ୍ଷେତ୍ରରେ ସେ ତିଲକ ବର୍ମାଙ୍କ ୧୫୧ ରନ୍ର ରେକର୍ଡକୁ ଭାଙ୍ଗିଛନ୍ତି। ୨୦୨୪ ନଭେମ୍ବରରେ ମେଘାଳୟ ବିପକ୍ଷରେ ହାଇଦ୍ରାବାଦ ପକ୍ଷରୁ ତିଲକ ଏହି ଇନିଂସ ଖେଳିଥିଲେ। ସେହିପରି ଟି-୨୦ କ୍ରିକେଟ୍ରେ ଜଣେ ଭାରତୀୟ ବ୍ୟାଟରଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ମଧ୍ୟ ଏବେ ପ୍ରିୟାଂଶଙ୍କ ନାମରେ। ଏହି ରେକର୍ଡରେ ସେ କେଏଲ୍ ରାହୁଲଙ୍କ ୧୫୨ ରନର ଇନିଂସକୁ ମଧ୍ୟ ପଛରେ ପକାଇଛନ୍ତି। ତେବେ ଗୋଟିଏ ଇନିଂସରେ ଏକାଧିକ ରେକର୍ଡ ଭାଙ୍ଗି ପ୍ରିୟାଂଶ ଆର୍ଯ୍ୟ ଏବେ ଟି-୨୦ କ୍ରିକେଟର ନୂଆ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଭାରତୀୟ କ୍ରିକେଟରେ ଏକ ନୂଆ ରେକର୍ଡ ଯୋଡ଼ିଛି।
