(ଥିରୁଅନନ୍ତପୁରମ) : ଷ୍ଟେଜରେ ଗୀତ ଗାଇବା ବେଳେ ଚାଲିଗଲା କଣ୍ଠଶିଳ୍ପୀଙ୍କ ଜୀବନ। ପ୍ରଖ୍ୟାତ ମାଲାୟଲମ କଣ୍ଠଶିଳ୍ପୀ ଇଡାଭା ବଶୀର ଖଚାଖଚ ଷ୍ଟେଜରେ ଗୀତ ଗାଉଥିବା ସମୟରେ ତାଙ୍କର ମୃତ୍ୟ ଘଟିଛି । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

୭୮ ବର୍ଷୀୟ ବଶୀରଙ୍କ ଅଚାନକ ବିୟୋଗ କେରଳ ସମେତ ମାଲାୟଲମ ଗୀତକୁ ଭଲ ପାଉଥିବା ଶ୍ରୋତାଙ୍କୁ ସ୍ତବ୍ଧ କରି ଦେଇଛି। ତାଙ୍କ ଅକସ୍ମାତ ବିୟୋଗରେ ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି, “ଇଡାଭା ବଶୀର ଗାନାମେଳାକୁ ଲୋକପ୍ରିୟ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦେହାନ୍ତ ମ୍ୟୁଜିକ ଜଗତ ପାଇଁ ଗୋଟିଏ ବିରାଟ ବଡ଼ କ୍ଷତି।” ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନେକ କଳାକାର ମଧ୍ୟ ବଶୀରଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି।

ସୂଚନାନୁଯାୟୀ, ଶନିବାର ରାତିରେ କେରଳର ଲୋକପ୍ରିୟ ମ୍ୟୁଜିକ ଟ୍ରୁପ୍ ବ୍ଲ୍ୟୁ ଡାଇମଣ୍ଡ ଅକେଷ୍ଟ୍ରାର ୫୦ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ କାର୍ଯ୍ୟକ୍ରମ ଅଲଫୁଜାରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଶୀର ମଧ୍ୟ ସଂଗୀତ ପରିବେଷଣ କରିଥିଲେ। ତେବେ ସେ ଷ୍ଟେଜରେ ଗୋଟିଏ ହିନ୍ଦୀ ଗୀତ ଗାଉଥିବା ବେଳେ ହଠାତ୍ ପଡ଼ିଯାଇଥିଲେ। ତାଙ୍କୁ କାର୍ଯ୍ୟକ୍ରମର ଆୟୋଜକମାନେ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ବଶୀରଙ୍କୁ ମୃତ ଘୋଷଣା କରିଥିଲେ।