(ରିପୋର୍ଟସ ଟୁଡ଼େ): ଆଜି କାର୍ତିକ ମାସର ତ୍ରୟୋଦଶ ତିଥି । ଏହି ତିଥିରେ ବଡ଼ ଓଷା ପାଳନ କରାଯାଇଥାଏ । ଓଡ଼ିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ । ଏହି ଦିନରେ ମହାଦେବଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଲାଗି ହୁଏ । ଏହାକୁ ଗଜ ଭୋଗ କୁହାଯାଏ । ଅରୁଆ ଚାଉଳ ଚୂନା ପ୍ରସ୍ତୁତ ଖଳି, ନଡିଆ, ଗୁଡ, ଗୁଜରାତି ଆଦିରେ ଏହା ପ୍ରସ୍ତୁତ କରି ଭୋଗ କରାଯାଏ । ଭୋଗ ଲଗାଯିବା ପରେ ବ୍ରତଧାରୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଖାଆନ୍ତି ।
ବଡ ଓଷାର ମହିମା ସମ୍ପର୍କରେ ପୁରାଣରେ ବର୍ଣ୍ଣିତ ହୋଇଛି । ବଡ ଓଷା ପାଇଁ ଚଳଚଂଚଳ ହୋଇପଡିଛି ବିଭିନ୍ନ ଶୈବ ପୀଠ । ମହାନଦୀ ଭିତରେ ଏକ ଟାପୁରେ ଥିବା ଧବଳେଶ୍ୱର ପୀଠରେ ଏହି ଓଷା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ବଡ ଓଷା ପାଇଁ ଧବଳେଶ୍ୱରପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସେହିପରି ରାଜ୍ୟର ଅନ୍ୟ ଶୈବପୀଠ ଗୁଡିକରେ ମଧ୍ୟ ବଡଓଷା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।
ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସ୍ୱର୍ଣ୍ଣାଦି ଅଳଙ୍କାରରେ ବିଭୂଷିତ ହୋଇ ଶ୍ରୀଜୀଉ ଶ୍ରଦ୍ଧାଳୁମାନଙ୍କୁ ଏହି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଉଛନ୍ତି । ବାମନ ଅବତାରରେ ମହାପ୍ରଭୁଙ୍କର ସର୍ବମୟ ରୂପକୁ ମନେପକାଇ ଏହି ରୂପ କରାଯିବାର ପରମ୍ପରା ରହିଛି ।
ଏହି ରୂପରେ ସୋଲ, କନା, ବେତ ତଥା କଇଁଥ ଅଠାରେ ଚୂଳ ପ୍ରସ୍ତୁତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ଲଗାଯାଇଥାଏ । ଚୂଳରେ ସ୍ୱର୍ଣ୍ଣ ନିର୍ମିତ ହୋଇଥିବା କିଆକୁ ଆଡବାଗରେ ଖୋସା ଯାଇଥାଏ । ଶ୍ରୀସୁଭଦ୍ରାଙ୍କ ମସ୍ତକରେ ସୁନା କିରୀଟ ଲଗାଯାଇଥାଏ । ତିନିଠାକୁରଙ୍କ ମସ୍ତକର ଶୀର୍ଷରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଲାଗି କରାଯାଇଥାଏ । ତେବେ ଶ୍ରୀଜୀଉଙ୍କର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିଛି । ଶ୍ରଦ୍ଧାଳୁଙ୍କର ଶୃଂଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିସରରେ ପୋଲିସ ମୁତୟନ ରହିଛନ୍ତି ।