ଖେଳର ମହାକୁମ୍ଭ ପାଇଁ ପୁଣି ପ୍ରସ୍ତୁତ ଓଡ଼ିଶା। କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି ଏସିଆ ରଗବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍। ଦୀର୍ଘ ୮ ବର୍ଷ ପରେ ଓଡ଼ିଶା ମାଟିକୁ ଫେରୁଛି ଅନ୍ତର୍ଜାତୀୟ ରଗବୀ ପ୍ରତିଯୋଗିତା। ନଭେମ୍ବର ୧୪ ଓ ୧୫ ଦୁଇଦିନ ଧରି ଚାଲିବ ଏହି ରୋମାଞ୍ଚକର ଲଢ଼େଇ। ଏହି ଚାମ୍ପିୟନସିପ୍ରେ ଏସିଆର ୧୦ଟି ଦେଶର ୧୭ଟି ଦଳ ଭାଗ ନେଉଛନ୍ତି। ପୁରୁଷ ବିଭାଗରେ ୧୦ଟି ଏବଂ ମହିଳା ବିଭାଗରେ ୭ଟି ଦଳ ନିଜ ନିଜ ଦକ୍ଷତା ଦେଖାଇବେ। ଭାରତ ସହ ହଂକଂ ଚାଇନା, ଶ୍ରୀଲଙ୍କା, ମାଲେସିଆ, ଉଜବେକିସ୍ତାନ, ଥାଇଲାଣ୍ଡ, ସିଙ୍ଗାପୁର, ଚାଇନିଜ୍ ତାଇପେଇ, ନେପାଳ ଓ ଜୋର୍ଡାନର ଖେଳାଳି ଏଥିରେ ସାମିଲ ହେଉଛନ୍ତି।

ସବୁଠୁ ଖୁସିର କଥା ହେଉଛି, ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଶାର ୮ ଜଣ ଖେଳାଳି। ପୁରୁଷ ଦଳରେ ୫ ଜଣ ଏବଂ ମହିଳା ଦଳରେ ୩ ଜଣ ଓଡ଼ିଆ ଖେଳାଳି ଦେଶ ପାଇଁ ମଇଦାନକୁ ଓହ୍ଲାଇବେ। ପ୍ରଥମ ଦିନରେ ଭାରତୀୟ ପୁରୁଷ ଦଳ ଉଜବେକିସ୍ତାନ ଓ ହଂକଂ ଚାଇନାକୁ ଭେଟିବ। ସେହିପରି ମହିଳା ଦଳ ନେପାଳ, ସିଙ୍ଗାପୁର ଓ ଶ୍ରୀଲଙ୍କା ସହ ମୁକାବିଲା କରିବ। ଏବେ ନଜର ରହିବ ଘରୋଇ ମାଟିରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ। ଓଡ଼ିଆ ଖେଳାଳିଙ୍କ ଦମଦାର ଖେଳ କ’ଣ ଦେଶକୁ ଗୌରବ ଆଣିଦେବ? ତାହା ଦେଖିବାକୁ କ୍ରୀଡ଼ାପ୍ରେମୀଙ୍କ ଅପେକ୍ଷା।