ଭୁବନେଶ୍ଵର: ସ୍ବାସ୍ଥ୍ୟ ବିଭାଗ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ DNB ପାଠ୍ୟକ୍ରମ ଆରମ୍ଭ ହେବ । ପ୍ରାକ୍ଟିକାଲ୍ ଓ କ୍ଲିନିକାଲ୍ ଟ୍ରେନିଂ ପାଇଁ ସ୍ପେସିଆଲାଇଜେସନ୍ କରିପାରିବେ । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM) ଆରମ୍ଭ କରାଯିବ । କେନ୍ଦୁଝର ଜିଲ୍ଲାରେ ପ୍ରଥମେ ABDMର ପାଇଲଟ୍ ପ୍ରୋଗ୍ରାମ ଆରମ୍ଭ ହେବ ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେନ୍ଦୁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ଏହାର ସଂପ୍ରସାରଣ କରାଯିବ । ଡିଜିଟାଲ୍ ମିଶନ ଦ୍ୱାରା ଅଧିକାଂଶ ସ୍ୱାସ୍ଥ୍ୟସେବାକୁ ଯଥା ଆପଏଣ୍ଟମେଣ୍ଟ, ବୁକିଂ, ରେଫରାଲ୍ ଓ ଫଲୋଅପ୍ ବ୍ୟବସ୍ଥା ଇତ୍ୟାଦି ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରାଯିବ । ଏହାଦ୍ୱାରା ରୋଗୀମାନଙ୍କ ପ୍ରତୀକ୍ଷା ସମୟ କମିବ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର ହୋଇପାରିବ । ଏଥିସହିତ ଡାକ୍ତର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ, ଡିପ୍ଲୋମେଟ୍ ଅଫ୍ ନ୍ୟାସନାଲ ବୋର୍ଡ ପାଠ୍ୟକ୍ରମ ଆରମ୍ଭ ହେବ । ଏଥିରେ ଡାକ୍ତର ମାନେ ପ୍ରାକ୍ଟିକାଲ୍ ଓ କ୍ଲିନିକାଲ୍ ଟ୍ରେନିଂ ପାଇ ସ୍ପେସିଆଲାଇଜେସନ୍ କରିପାରିବେ । ସାରା ରାଜ୍ୟରେ ଆୟୁଷ ଔଷଧକୁ ଲୋକପ୍ରିୟ କରିବା ପାଇଁ, ଆୟୁଷ ଡାକ୍ତର ମାନେ କେବଳ ଆୟୁର୍ବେଦିକ ଔଷଧ ହିଁ ଲେଖିବେ ଏବଂ କୌଣସି ଏଲୋପାଥିକ ଔଷଧ ପ୍ରେସକ୍ରାଇବ କରିବେ ନାହିଁ । ଏହାସହିତ ଓଡ଼ିଶାରେ ଆୟୁଷ ଡାକ୍ତର ମାନଙ୍କର ସେବାକୁ ଅଗ୍ରାଧିକାର ଦେବା ନିମନ୍ତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କରେ ଆର୍ୟୁବେଦିକ ଓ ହୋମିଓପାଥି ମେଡିସିନ ଉପଲବ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।