ଆଜି କୁମାର ପୂର୍ଣ୍ଣିମା, ଭଲ ବର ପାଇବାକୁ ଚାନ୍ଦ ପୂଜା କରିବେ କୁଆଁରୀ

ଭୁବନେଶ୍ଵର: କୁଆଁରୀ ଝିଅଙ୍କ ପର୍ବ କୁଆଁରପୁନେଇ । ଏହିଦିନ କୁଆଁରୀ ମାନେ ସଜବାଜ ହୋଇ ହାତରେ ପୂଜାଥାଳି ଧରି ଚାନ୍ଦ ବନ୍ଦେଇବାକୁ ଅଗଣାରେ ଏକାଠି ହୋଇଥାନ୍ତି । ଲୋକକଥା ଅନୁଯାୟୀ ଏହି ପୂଜା କୁଆଁରୀ ଝିଅମାନେ ନିଷ୍ଠାର ସହ କଲେ ତାଙ୍କୁ ଚାନ୍ଦପରି ସୁନ୍ଦର ଓ ସ୍ଵଭାବରେ ଭଲ ବର ମିଳିଥାଏ । ହିନ୍ଦୁଶାସ୍ତ୍ର ଅନୁସାରେ ଆଶ୍ୱିନ ମାସ ପୂର୍ଣ୍ଣିମାରେ ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ଜନ୍ମ ହୋଇଥିବା କାରଣରୁ ଏହି ଦିନକୁ ତାଙ୍କର ଜନ୍ମ ଦିବସ ରୂପେ ପାଳନ କରାଯାଏ । କୁମାର, କୁମାରୀଙ୍କ ପୂଜା ପରମ୍ପରା ଏହି ପର୍ବର ମୂଳ ଲକ୍ଷ୍ୟ ।

ଆଶ୍ୱିନ ମାସ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବୋଲି କୁହାଯାଇଥାଏ । କୁମାର ପୂର୍ଣ୍ଣିମାର ଅନ୍ୟନାମ ‘କୌମୁଦି ପୂର୍ଣ୍ଣିମା’ ରହିଥିବା ଅନେକ କହନ୍ତି । ଆଶ୍ୱିନ ମାସ ଏକ ପବିତ୍ର ମାସ । ଧରାପୃଷ୍ଠରୁ ବିଦାୟ ନେଇଛି ବର୍ଷାୠତୁ । ଶରତଋତୁ ଆଗମନରେ ପୃଥିବୀ ମାତା ଉଲ୍ଲସିତା ହୋଇଛି । ଆକାଶ ସ୍ୱଚ୍ଛ, ନିର୍ମଳ ଥିବା ବେଳେ ବାଡି ଲତାରେ ଜହ୍ନି ଫୁଲ ହସୁଛି । ରାତିରେ ଜହ୍ନର ଧବଳ ଜ୍ୟୋସ୍ନା । କୁମାରୀମାନଙ୍କର ଜହ୍ନି ଓଷା ଗୀତ ‘ଜହ୍ନି ଫୁଲ ଠୋ ଠୋ, କାକୁଡି ଫୁଲ ଠୋ ଠୋ’ , ଗ୍ରାମ୍ୟ ପରିବେଶକୁ ଆନନ୍ଦ ମୁଖରିତ କରିଥାଏ । ଦଶହରା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାର ଉତ୍ସବ ପାଳନ କରାଯାଏ । ଏହି ଦିନ ମାନଙ୍କରେ ତାସ ଖେଳ, ପଇସା ଖେଳ, କଉଡ଼ି ଖେଳ ଆଦି ଚାଲିଥାଏ । ପୂର୍ଣ୍ଣମୀ ଦିନ ତାସଖେଳ ବା ପଇସା ଖେଳରେ ହାରିଲେ ଆଗାମୀ ବର୍ଷ ଭଲରେ କଟିବ ବୋଲି ବିଶ୍ୱାସ ରହିଛି ।

ଧାର୍ମିକ ସାମାଜିକ ଭାବଧାରା ପରିପୂର୍ଣ୍ଣ ଏ ପୂର୍ଣ୍ଣିମା । ଏହିଦିନ କୁମାରୀମାନେ ମାସବ୍ୟାପୀ କରିଆସୁଥିବା ଜହ୍ନିଓଷାର ଉଦଯାପନ କରନ୍ତି । ନାଚ,ଗୀତ, ମଉଜ, ମଜଲିସରେ ଏହି ଉତ୍ସବ ଅଧିକ ମନୋରମ ଓ ଆକର୍ଷଣୀୟ ହୋଇଉଠେ ।ଏହିଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ ହୋଇଥାଏ । ବିଶ୍ୱାସ ରହିଛି ପୂର୍ଣ୍ଣିମା ରାତିରେ ମହାଲକ୍ଷ୍ମୀ ଘରଘର ବୁଲି ପଚାରନ୍ତି- କିଏ ଉଜାଗର ଅଛି ? ଶୋଇବା ପୁଅର ଭାଗ ନଥିବା ନ୍ୟାୟରେ ଯେଉଁମାନେ ଉଜାଗର ନଥାନ୍ତି, ସେମାନେ ମା’ଙ୍କ ବରଦାନରୁ ବଞ୍ଚିତ୍ ହୁଅନ୍ତି ।