ରାଜାଙ୍କ ବାଟ ଓଗାଳିବାକୁ ହୋଇଛି ଗିରଫଦାରି!

ଭୁବନେଶ୍ୱର/ଶିଳାସ୍ମିତା ରାୟ: ଆଜି ଦାଦାବଟି ଆଦାୟ ଅଭିଯୋଗରେ ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୁଲିସ । କିନ୍ତୁ ଏହି ଗିରଫଦାରିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା । ବାସ୍ତବରେ ବଟି ଆଦାୟକୁ ନେଇ ରାଜାଙ୍କୁ ଗିରଫ କରାଯାଇ ନାହିଁ । ରାଜାକୁ ଗିରଫ କରାଯାଇଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପକ୍ଷ ଛେଦନ କରିବାକୁ । ଅପରାଜିତାଙ୍କ ବାଟ ଓଗାଳିବାକୁ ।
ରାଜା ଜେଲରୁ ଆସିବା ପରେ ଗଢିଥିଲେ ଏକ ଦଳ ହିନ୍ଦୁ ସେନା । ଶୁଣିବାକୁ ମିଳିଛି, ସେ ତାଙ୍କ ଦଳ ସହ ସାଂସଦ ଅପରାଜିତାଙ୍କ ସହ ବିଜେପିରେ ସାମିଲ ହେବାକୁ ଯାଉଥିଲେ । ଏହା ପୂର୍ବରୁ ସରକାର ତାଙ୍କୁ ଗିରଫ କରିବାକୁ ଯୋଜନା କଲା, ଯାହାକୁ କମିଶନରେଟ ପୁଲିସ କାର୍ଯ୍ୟକାରୀ କରିଛି । କମିଶନରେଟ ପୁଲିସ ତାଙ୍କୁ ଏକ ନମ୍ବର ଅଞ୍ଚଳରୁ ଉଠାଇନେଇଥିଲା । ରାଜା ସ୍ଥାନୀୟ ଅଞ୍ଚଳରେ ସରକାରୀ ଜାଗାରୁ ୨୦ ହଜାର ଟଙ୍କା ବଟି ଆଦାୟ କରୁଥିବା ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ପୁଲିସ କମିଶନର କହିଥିଲେ । କିନ୍ତୁ ରାଜା କହିଛନ୍ତି, ତାଙ୍କୁ ପୁଲିସ ଡକାଇଥିଲା । ସେ ଥାନାକୁ ଆସିଥିଲେ । ସେଠାରେ ତାଙ୍କୁ ପୁଲିସ ଜୋରଜବରଦସ୍ତ ଅଟକ ରଖିଛି ଓ ଗିରଫ କରିଛି । ବିଜେପିରେ ରାଜା ଯେମିତି ଯୋଗ ଦେଇ ନ ପାରନ୍ତି ସେଥିପାଇଁ ପ୍ଲଟ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । ସେ ଅପରାଜିତାଙ୍କ ଗୋଷ୍ଠୀରେ ଯୋଗ ଦେଉଥିବାରୁ ସବୁ ସରକାରଙ୍କ ନିର୍ଦ୍ଦେଶରେ ହେଉଥିବା କୁହାଯାଉଛି । ଅପରାଜିତାଙ୍କୁ ନିଶକ୍ତ କରିବା ହେଉଛି ବିଜେଡିର ଲକ୍ଷ୍ୟ ।


ତେବେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି, ସାଂସଦ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବା ପରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ମଧ୍ୟରେ ଦେଖାଦେଇଛି ଭୟ । ଉପରକୁ କହୁ ନ ଥିଲେ ମଧ୍ୟ ଦଳୀୟ କାର୍ଯ୍ୟକଳାପରୁ ତାହା ବାରି ହୋଇ ପଡୁଛି । ଅପରାଜିତାଙ୍କ ବ୍ୟକ୍ତିତ୍ୱ ତଥା କାର୍ଯ୍ୟନିଷ୍ଠତାକୁ ନେଇ ଭୟ । ଯେମିତି ସେ ପ୍ରଶାସିକା ଭାବେ ଲୋକପ୍ରିୟତା ହାସଲ କରିଥିଲେ ସେମିତି ଏହି କ୍ଷେତ୍ରରେ ମଧ୍ୟ ସେ ଲୋକପ୍ରିୟତାରେ ଆଗରେ ରହିବେ । ଏହା ତାଙ୍କ ଦଳକୁ ମଧ୍ୟ ଲୋକପ୍ରିୟ କରାଇବାରେ ସହାୟକ ହେବ ବୋଲି ବିଜେଡି ଅନୁଭବ କରୁଛି । କିନ୍ତୁ ଦୁଃଖ ଖାଲି ବିଜେଡି ନୁହଁନ୍ତି, ତାଙ୍କ ନିଜ ଦଳ ବିଜେପିରେ ମଧ୍ୟ ଅପରାଜିତାଙ୍କ ପ୍ରତି ରହୁଛି ଅସୂୟା ଭାବ ।
ବିଜେପି ନେତା ମଧ୍ୟ ଅପରାଜିତାଙ୍କୁ ସେମାନଙ୍କ ରାସ୍ତାର କଣ୍ଟା ମାନୁଛନ୍ତି । ଦୀର୍ଘ ଦିନରୁ ସେମାନେ ବିଜେପିରେ ରହି ବିଜେପି ପାଇଁ କାମ କରିଛନ୍ତି । ହଠାତ୍ ଜଣେ ଦଳକୁ ଆସି ରାତାରାତି ଲୋକାଦୃତ ହେବେ । ସେମାନେ ପଛରେ ରହିଯିବା ବେଳେ ଅପରାଜିତା ଆଗରେ ରହିବେ । ଏହା ବ୍ୟତୀତ ଅପରାଜିତା ଯେବେଠାରୁ ଦଳରେ ସାମିଲ ହୋଇଛନ୍ତି, ତାଙ୍କୁ ଓଡିଶା ବାସୀ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରୂପେ କଳନା କରିବା ଆରମ୍ଭ କରିଛନ୍ତି । ତେଣୁ ଅପରାଜିତା ଦଳରେ ସାମିଲ ହେବା ପରଠାରୁ ତାଙ୍କପ୍ରତି ଦଳରେ ରହୁଛି ଅସୂୟା ଭାବ । ଅପରାଜିତାଙ୍କୁ ଦଳର ବରିଷ୍ଠ ନେତା ସହ୍ୟ କରି ପାରୁ ନାହାନ୍ତି । ତାଙ୍କ ଦଳରେ କଣଠେଁସା କରି ରଖାଯାଇଛି । ଶୁଣିବାକୁ ମିଳୁଛି, ରାଜ୍ୟ ବିଜେପିରେ ଏବେ ପ୍ରଧାନ ଓ ଷଡଙ୍ଗୀ ଦୁଇ ଗୋଷ୍ଠୀ । ଅପରାଜିତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉ ନାହିଁ କି ତାଙ୍କ ସମର୍ଥକଙ୍କୁ ମଧ୍ୟ ରାଜ୍ୟ ବିଜେପିର କର୍ମକର୍ତ୍ତା ଚୟନ ସମୟରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇନାହିଁ ।


ତଥାପି ଅପରାଜିତା ଏଥିରେ ହତୋତ୍ସାହିତ ହୋଇ ନାହାନ୍ତି । ସେ ତାଙ୍କ ମତ ସହ ଖାପ ରଖୁଥିବା ଯୁବକ ଯୁବତୀଙ୍କୁ ନେଇ ରାଜ୍ୟବାସୀଙ୍କ ସେବାରେ ଲାଗିପଡିଛନ୍ତି । କିନ୍ତୁ ତାଙ୍କୁ ହଇରାଣ କରିବା ଉଭୟ ବିଜେପି ଓ ବିଜେଡିର ଲକ୍ଷ୍ୟ ରହୁଥିବା କୁହାଯାଉଛି । ତେଣୁ ତାଙ୍କ ଅଫିସକୁ ମଧ୍ୟ ସିଲ କରିଦିଆଯାଇଥିଲା, ଯାହା ଆଜି ଖୋଲିଲା, ତାହା ପୁଣି ଚାପରେ । ଅଫିସ ସିଲକୁ ନେଇ ମଧ୍ୟ ବିଜେପି ବିରୋଧ କରିନି । ତେବେ ଅପରାଜିତାଙ୍କ ଜିଦ ଆଗରେ ସରକାରକୁ ମୁଣ୍ଡ ନୁଆଁଇବାକୁ ପଡିଲା । ଅଫିସ ଖୋଲିଲା । ରାଜା ବହୁ ଶୀଘ୍ର ଅପରାଜିତାଙ୍କ ଗୋଷ୍ଠୀରେ ସାମିଲ ହୋଇଥାନ୍ତେ ବିଧିବଦ୍ଧଭାବେ । କିନ୍ତୁ ଏହା ପୂର୍ବରୁ ଦାଦାବଟି ଆଦାୟ ମାମଲାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଥିବା ରାଜନୀତିରେ ଜ୍ଞାନ ରଖିଥିବା ଲୋକେ କହୁଛନ୍ତି ।