ଜାପାନ ସହ ଓଡ଼ିଶାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିବେ ଜାପାନର ଟଟୋରୀ ପ୍ରଦେଶର ପ୍ରାୟ ୧୦୦ ଜଣିଆ ପ୍ରତିନିଧି ଦଳ। ଏହି ଦଳରେ ଟଟୋରୀ ପ୍ରଦେଶର ରାଜ୍ୟପାଳ ଶିଞ୍ଜି ହିରାଇଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପପତି ଏବଂ ବିଭିନ୍ନ ସଂସ୍ଥାର ପ୍ରତିନିଧି ସାମିଲ ହେବେ।
ଏହି ଗସ୍ତ ସମୟରେ ଓଡ଼ିଶା ସରକାରଙ୍କ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହେବ। ବିଶେଷକରି ଶିଳ୍ପ, ବାଣିଜ୍ୟ, ପର୍ଯ୍ୟଟନ, ନିଯୁକ୍ତି ଓ ବୈଷୟିକ ସହଯୋଗ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବା ନେଇ ଆଶା ରହିଛି।
ପ୍ରତିନିଧି ଦଳର ଏହି ଗସ୍ତ ଦ୍ୱାରା ଓଡ଼ିଶାକୁ ଅଧିକ ନିବେଶ ଆସିବା ସହ ଉଭୟ ପକ୍ଷ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଓ ସହଭାଗିତାକୁ ନୂଆ ଦିଗ ମିଳିପାରେ। ଏଥିସହ ଓଡ଼ିଶା ଓ ଜାପାନ ମଧ୍ୟରେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବା ନେଇ ମଧ୍ୟ ଆଶା କରାଯାଉଛି।
ଟଟୋରୀ ସରକାରଙ୍କ ଭାରତୀୟ ବ୍ୟବସାୟ ପରାମର୍ଶଦାତା କୁନା ଦାଶ ମଧ୍ୟ ଏହି ଗସ୍ତରେ ସାମିଲ ହେବେ। ତାଙ୍କ ମତରେ, ଏହି ଗସ୍ତ ଉଭୟ ଅଞ୍ଚଳର ପର୍ଯ୍ୟଟନ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିବ। ଓଡ଼ିଶାରେ ଥିବା ବୌଦ୍ଧ କୀର୍ତ୍ତିରାଜି ଜାପାନୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିବ। ଏଥିପାଇଁ ସ୍ୱତନ୍ତ୍ର ପର୍ଯ୍ୟଟନ ଆୟୋଜନ କରାଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଏହି ଗସ୍ତ ମାଧ୍ୟମରେ ଓଡ଼ିଶା ଓ ଜାପାନ ମଧ୍ୟରେ ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବଢ଼ିବା ସହ ଦୁଇ ପକ୍ଷର ସମ୍ପର୍କ ଆହୁରି ମଜଭୁତ ହେବା ନେଇ ଆଶା କରାଯାଉଛି।