ରାତିର ଅନ୍ଧାରରେ ଶତ୍ରୁକୁ ଟାର୍ଗେଟ କରି ଆକ୍ରମଣ କରିପାରିବେ ଆପାଚି ହେଲିକପ୍ଟର

ନୂଆଦିଲ୍ଲୀ-: ଭାରତ ତା’ର ସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଯାଉଛି । ଆସନ୍ତା ସପ୍ତାହରେ ଭାରତ ୬ AH-64E ଆପାଚି ଲଢୁଆ ହେଲିକପ୍ଟର ମଧ୍ୟରୁ ପ୍ରଥମ ତିନୋଟି ପାଇବ । ଏହା ଭାରତର ବାୟୁ ପ୍ରତିରକ୍ଷାକୁ ସୁଦୃଢ଼ କରିବ । ବିଶେଷକରି ପାକିସ୍ତାନ ସୀମାରେ ଏହି ହେଲିକପ୍ଟରଗୁଡ଼ିକ ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ । ଏହି Apache AH-64E ହେଲିକପ୍ଟରର ବିଶେଷତ୍ୱ ହେଉଛି ଯେ, ଏମାନେ କେବଳ ଦିନରେ ନୁହେଁ ରାତିର ଅନ୍ଧାରରେ ମଧ୍ୟ ଶତ୍ରୁର ଟାର୍ଗେଟକୁ ସଠିକ୍ ଭାବରେ ଠାବ କରିପାରିବେ ଏବଂ ଆକ୍ରମଣ କରିପାରିବେ ।

ଆସନ୍ତା ୨୧ରେ ଏହି ଲଢ଼ୁଆ ହେଲିକପ୍ଟର ଭାରତରେ ପହଞ୍ଚିବ ବୋଲି ସୂଚନା ରହିଛି । ଏହା ଭାରତର ପଶ୍ଚିମ ସୀମାକୁ ଆହୁରି ସୁରକ୍ଷିତ କରିବ। ବାକି ତିନୋଟି ହେଲିକପ୍ଟର ମଧ୍ୟ ଏହି ବର୍ଷ ଶେଷ ସୁଦ୍ଧା ପହଞ୍ଚିଯିବ । ଏହି ହେଲିକପ୍ଟରଗୁଡ଼ିକୁ ‘ଏୟାର ଟ୍ୟାଙ୍କ’ ଭାବରେ ଜଣାଶୁଣା ଏବଂ ବହୁ ବର୍ଷ ଧରି ଆମେରିକୀୟ ସେନାରେ ବ୍ୟବହୃତ ହେଉଛି । ଏହି ହେଲିକପ୍ଟରଗୁଡ଼ିକ ଅତ୍ୟାଧୁନିକ ନାଇଟ୍ ଭିଜନ୍ ଏବଂ ନାଭିଗେସନ୍ ସିଷ୍ଟମ ସହିତ ସଜ୍ଜିତ, ଯାହା ରାତିର ଅନ୍ଧାରରେ ମଧ୍ୟ ଶତ୍ରୁ ଟାର୍ଗେଟକୁ ସଠିକ୍ ଭାବରେ ଚିହ୍ନଟ କରି ସେମାନଙ୍କ ଉପରେ ଆକ୍ରମଣ କରିବାରେ ସାହାଯ୍ୟ କରେ । ଏଥିରେ ଅତ୍ୟାଧୁନିକ କମ୍ୟୁନିକେସନ, ନାଭିଗେସନ୍, ସେନ୍ସର ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ରହିଛି । ଏହି ହେଲିକପ୍ଟର କେବଳଯେ ଯୁଦ୍ଧ ସମୟରେ ବ୍ୟବହାର ହେବ ତା ନୁହେଁ । ଏହାକୁ ଉଦ୍ଧାର କାର୍ଯ୍ୟ, ସୁରକ୍ଷା ଏବଂ ଶାନ୍ତି ଅପରେସନ୍‌ରେ ବି ବ୍ୟବହାର କରାଯାଇ ପାରିବ ।