ପାରାଦୀପ ନିର୍ବାଚନମଣ୍ଡଳୀର ବିଭିନ୍ନ ଜୋନ୍ ଏବଂ ପାରାଦୀପ ନଗର ବିଜେଡିର ନବନିଯୁକ୍ତ ମହିଳା ସଭାନେତ୍ରୀମାନଙ୍କୁ ନେଇ ପାରାଦୀପ ନୂଆବଜାରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି।
ଏହି ଅବସରରେ ମୋନିଦ୍ୱୀପା ସାର୍ଖେଲଙ୍କ ସମେତ କୁଜଙ୍ଗ, ଜଗତସିଂହପୁର ଓ ପାରାଦୀପ ନଗର ବିଜେଡିର ବିଭିନ୍ନ ନେତୃବୃନ୍ଦ ଯୋଗଦେଇ ନବନିଯୁକ୍ତ ମହିଳା ସଭାନେତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ବକ୍ତାମାନେ ବର୍ତ୍ତମାନର ବିଜେପି ସରକାରକୁ ସମାଲୋଚନା କରିବା ସହ ୨୦୨୯ ନିର୍ବାଚନରେ ପୁଣିଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେବ ବୋଲି ଦାବି କରିଥିଲେ।
ନବନିଯୁକ୍ତ ମହିଳା ସଭାନେତ୍ରୀମାନେ କହିଥିଲେ ଯେ, ଦଳ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱକୁ ସେମାନେ ନିଷ୍ଠାର ସହ ପାଳନ କରିବେ। ତୃଣମୂଳସ୍ତରରୁ ସଂଗଠନକୁ ଆହୁରି ସୁଦୃଢ଼ ଓ ସଂଗଠିତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ସେମାନେ ପ୍ରକାଶ କରିଥିଲେ। ମୋନିଦ୍ୱୀପା ସାର୍ଖେଲ କହିଥିଲେ, ପାରାଦୀପ ନିର୍ବାଚନମଣ୍ଡଳୀରେ କେତେକ ନେତାଙ୍କ ପକ୍ଷରୁ ଚାଲିଥିବା ଅପପ୍ରଚାରକୁ ଖାତିର ନକରି ବିଜେଡିକୁ ପୁନର୍ବାର ସଶକ୍ତ କରିବା ହିଁ ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ।