ଗ୍ରାହକଙ୍କ ତଥ୍ୟ ସୁରକ୍ଷା ନେଇ ଭ୍ରମାତ୍ମକ ଦାବି ଅଭିଯୋଗ

ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ନେଇ ଭ୍ରମାତ୍ମକ ଦାବି ଏବଂ ଡାଟାର ଅପବ୍ୟବହାର ଅଭିଯୋଗରେ ସୋସିଆଲ୍ ମିଡିଆ କମ୍ପାନୀ ମେଟାକୁ ୨୫ ବିଲିୟନ୍ ଆମେରିକୀୟ ଡଲାର ଜରିମାନା କରାଯାଇଥିବା ଖବର ସାମ୍ନାକୁ ଆସିଛି। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୨.୦୮ ଲକ୍ଷ କୋଟି ଟଙ୍କା। ଏହାକୁ ଆମେରିକାର କର୍ପୋରେଟ୍ ଇତିହାସର ଅନ୍ୟତମ ବଡ଼ ଜରିମାନା ବୋଲି କୁହାଯାଉଛି।

ଖବର ଅନୁଯାୟୀ, ନ୍ୟୁ ମେକ୍ସିକୋର ଏକ ଜିଲ୍ଲା କୋର୍ଟରେ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ସୁରକ୍ଷାକୁ ନେଇ ମାମଲାର ଶୁଣାଣି ହୋଇଥିଲା। ଜୁରୀ ମେଟା ବିରୋଧରେ ଉପଭୋକ୍ତା ସଂରକ୍ଷଣ ଆଇନର ୪.୩ କୋଟିରୁ ଅଧିକ ଉଲ୍ଲଂଘନ ଚିହ୍ନଟ କରିଥିବା ଦାବି କରାଯାଇଛି। ୨୦୨୧ରେ କେମ୍ବ୍ରିଜ୍ ଆନାଲିଟିକା ଡାଟା ବିବାଦକୁ ନେଇ ରାଜ୍ୟର ଆଟର୍ଣ୍ଣି ଜେନେରାଲ୍ ରାଉଲ୍ ତୋରେଜ୍ ଏହି ମାମଲା ଦାୟର କରିଥିଲେ।

ରାୟକୁ ସ୍ୱାଗତ କରି ତୋରେଜ୍ ଏହାକୁ ବଡ଼ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକୁ ଉତ୍ତରଦାୟୀ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ମେଟା ଏହି ନିଷ୍ପତ୍ତିକୁ ବିରୋଧ କରି ଉଚ୍ଚ ଅଦାଲତରେ ଅପିଲ୍ କରିବ ବୋଲି ଜଣାଇଛି।