ଓଡ଼ିଶାରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍‌ଙ୍କୁ ମଧ୍ୟ ଫେରାଇ ନେବା ପାଇଁ ଉଦ୍ୟମ ଜାରି

ଭୁବନେଶ୍ୱର: ଓଡ଼ିଶାରୁ ଉଦ୍ଧାର ୫ ଓରାଙ୍ଗଉଟାନ୍‌ଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ ଅନ୍ୟପକ୍ଷରେ, ଓଡ଼ିଶାରୁ ଉଦ୍ଧାର ହୋଇଥିବା ୫ଟି ଛୋଟ ଓରାଙ୍ଗଉଟାନ୍‌ଙ୍କୁ ମଧ୍ୟ ଶୀଘ୍ର ଇଣ୍ଡୋନେସିଆ ଫେରାଇ ନେବା ପାଇଁ ଉଦ୍ୟମ ଜାରି ରହିଛି। ସେମାନଙ୍କୁ ୨୦୨୬ ସେପ୍ଟେମ୍ବରରେ ଓଡ଼ିଶାରୁ ଉଦ୍ଧାର କରାଯାଇଥିଲା।ବର୍ତ୍ତମାନ ଏହି ୫ଟି ଓରାଙ୍ଗଉଟାନ୍ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଜାତୀୟ ଉଦ୍ୟାନରେ ରହିଛନ୍ତି। ସେଠାରେ ସେମାନଙ୍କୁ ଆବଶ୍ୟକୀୟ ପ୍ରାଣୀ ଚିକିତ୍ସା ସେବା ଓ ସୁରକ୍ଷା ଯୋଗାଇ ଦିଆଯାଉଛି।

ଭାରତରେ ଉଦ୍ଧାର ହୋଇଥିବା ସୁମାତ୍ରା ପ୍ରଜାତିର ଏକ ଶାବକ ଓରାଙ୍ଗଉଟାନ୍‌କୁ ଇଣ୍ଡୋନେସିଆ ଫେରାଇ ନିଆଯାଇଛି। ୨୦୨୪ ନଭେମ୍ବରରେ ଭାରତରେ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନ୍‌କୁ ୧୯ ଅକ୍ଟୋବର ୨୦୨୬ରେ ଉଭୟ ଦେଶର ବନ୍ୟପ୍ରାଣୀ ସୁରକ୍ଷା ସଂସ୍ଥା ଏବଂ ବିଲୁପ୍ତପ୍ରାୟ ପ୍ରଜାତିର ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀ (CITES) ପରିଚାଳନା କର୍ତ୍ତୃପକ୍ଷଙ୍କ ସମନ୍ୱିତ ପ୍ରୟାସରେ ଫେରାଇ ଦିଆଯାଇଛି।

ଗୁଜରାଟରୁ ପଠାଯାଇଥିବା ଏହି ଓରାଙ୍ଗଉଟାନ୍ ଇଣ୍ଡୋନେସିଆର ମେଦାନସ୍ଥିତ କୁଆଲାନାମୁ ବିମାନବନ୍ଦରରେ ପହଞ୍ଚିଥିଲା। ଏହି ଅବସରରେ ମେଦାନସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ୍‌ର ଅଧିକାରୀମାନେ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱାଗତ ସମାରୋହରେ ଯୋଗ ଦେଇଥିଲେ ।

ତେବେ ଏହି ଓରାଙ୍ଗଉଟାନ୍‌ମାନଙ୍କ ପ୍ରଜାତି ଓ ଉତ୍ପତ୍ତି ସମ୍ପର୍କରେ ନିଶ୍ଚିତ ହେବା ସହ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଓ ନିୟମାବଳୀ ପୂରଣ ପରେ ସେମାନଙ୍କୁ ଫେରାଇ ନିଆଯିବ। ଏହି ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଇଣ୍ଡୋନେସିଆର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଏକ ଦଳ ନଭେମ୍ବର ୨୦୨୬ରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।