ମା’ ତାରାତାରିଣୀଙ୍କ ଷୋଡ଼ଶ ପୂଜା ଲାଗି ପ୍ରଶାସନର ପ୍ରସ୍ତୁତି

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଷୋଡ଼ଶ ପୂଜା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପୂଜା ନିମନ୍ତେ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର କୋଣ ଅନୁକୋଣରୁ ହଜାର ହାଜର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବା । ତେଣୁ ଏହାକୁ ଦୃଷ୍ଟିରେ ରଖି ପୂର୍ବ ପ୍ରସ୍ତୁତି ପାଇଁ ମନ୍ଦିରରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ଟ୍ରଷ୍ଟି ବିନୋଦ କୁମାର ବେହେରା,  ଏସ୍‌ଡିପିଓ ସୁଜିତ କୁମାର ନାୟକ, ଥାନାଧିକାରୀ କୁଳମଣି ସେଠୀ, ପୁରୁଷୋତ୍ତମପୁର ବିଦ୍ୟୁତ୍ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ଅଗ୍ନିଶମ ବିଭାଗ ଓ ମନ୍ଦିର ସେବାୟତମାନେ ଯୋଗ ଦେଇଥିଲେ । ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶୃଙ୍ଖଳିତ ଦର୍ଶନ, ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଧ୍ୟାନ ଦେବାନେଇ ବିଶେଷ ଆଲୋଚନା ହୋଇଥିଲା । ଭକ୍ତଙ୍କ ସମାଗମକୁ ନେଇ ଯତାୟାତ ନିମନ୍ତେ ବସ୍ ଚଳାଚଳ ସୁବ୍ୟବସ୍ଥିତ କରିବା, ବିଶୁଦ୍ଧ ପାନୀୟ ଜଳଯୋଗାଣ, ପୂର୍ବ ରୀତିନୀତି ପ୍ରକାରେ ମନ୍ଦିରରେ ପୂଜାର୍ଚ୍ଚନା, ଭକ୍ତଙ୍କ ଦୀପ ଦାନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଛି ।

ମା’ ତାରାତାରିଣୀଙ୍କ ବାର୍ଷିକ ଷୋଡ଼ଶ ପୂଜାକୁ ମହାଆଡ଼ମ୍ବର ସହିତ ପାଳିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୯ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ସେହିପରି ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ଟ୍ରଷ୍ଟି ବିନୋଦ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ପୂର୍ବରୁ ସାମୂହିକ ସଫେଇ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ।