ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସର ମାଲିକାନାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଦଳର ସହ-ମାଲିକ ଜୟ ମେହେଟ୍ଟା ନିଜ ଅଂଶଧନର ଅଧା ବିକ୍ରି କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁଯାୟୀ, ଜୟ ମେହେଟ୍ଟା ନିଜର ୪୫ ପ୍ରତିଶତ ଅଂଶଧନରୁ ୨୨.୫ ପ୍ରତିଶତ ଆମେରିକୀୟ ନିବେଶକ କମ୍ପାନି ଆରେସ୍ ମ୍ୟାନେଜମେଣ୍ଟକୁ ବିକ୍ରି କରିବେ।
ଏହି ଡିଲ୍ର ମୂଲ୍ୟ ପ୍ରାୟ ୩ ହଜାର ୭୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ଫଳରେ କେକେଆର୍ର ମୋଟ ମୂଲ୍ୟ ପ୍ରାୟ ୧୬ ହଜାର ୬୩୪ କୋଟି ଟଙ୍କାରେ ପହଞ୍ଚିବ। ଖାସ୍ କଥା ହେଉଛି, ଏହି ଆରେସ୍ ମ୍ୟାନେଜମେଣ୍ଟ ଚେଲ୍ସି ଫୁଟବଲ୍ କ୍ଲବ୍ ଏବଂ ଏନ୍ଏଫ୍ଏଲ୍ ଦଳ ମିଆମି ଡଲଫିନ୍ସର ମାଲିକାନା ସହ ଜଡ଼ିତ।

ଅନ୍ୟପଟେ କେକେଆର୍ରେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ୫୫ ପ୍ରତିଶତ ଅଂଶଧନ ରହିଛି। ଏହି ଅଂଶଧନରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨୦୦୭ ମସିହାରେ ଶାହାରୁଖ ଖାନ୍, ଜୁହି ଚାୱଲା ଏବଂ ଜୟ ମେହେଟ୍ଟା ମିଶି ଏହି ଫ୍ରାଞ୍ଚାଇଜ୍ କିଣିଥିଲେ।

ତେବେ ଏହି କାରବାର ପାଇଁ ବିସିସିଆଇର ଅନୁମୋଦନ ଜରୁରୀ। ନୂଆ ନିବେଶକଙ୍କ ପୃଷ୍ଠଭୂମି ଯାଞ୍ଚ ପରେ ହିଁ ଚୁକ୍ତିକୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିବ। ନିୟମ ଅନୁଯାୟୀ, ଏହି କାରବାରର ୫ ପ୍ରତିଶତ ଅର୍ଥାତ୍ ପ୍ରାୟ ୨୦୦ କୋଟି ଟଙ୍କା ବିସିସିଆଇ ପାଇବ ବୋଲି ରିପୋର୍ଟରେ ଦାବି କରାଯାଇଛି।