(ଆଦର୍ଶ ରାଉତ) ଭୁବନେଶ୍ୱର: କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଏକାଠି ଲଢିବ ବିଜେଡି । ଏପରି ସୂଚନା ଦେଇଛନ୍ତ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ । ଦଳ ମଧ୍ୟରେ କୌଣସି ଫାଟ ନାହିଁ ଓ ସମସ୍ତେ ଏକ ହୋଇ ନିର୍ବାଚନରେ ଦଳକୁ ବିପୁଳ ସଂଖ୍ୟାରେ ଜିତାଇବାକୁ କାର୍ଯ୍ୟ କରିବେ ବୋଲି ଆଜି ନବୀନ ନିବାସଠାରେ କହିଛନ୍ତି । ଏଥିସହ ସିପ୍ରା ଗତ କାଲି ସ୍ୱାଧୀନ ପ୍ରାର୍ଥୀ ଭାବେ ଦାଖଲ କରିଥିବା ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ବୋଲି ଜଣାଇଛନ୍ତି ।
ସୂଚନା ଯୋଗ୍ୟ, କେନ୍ଦ୍ରା ପଡା ବିଧାନସଭା ଆସନ ପାଇଁ ବିଜେଡିର ସିପ୍ରା ମଲ୍ଲିକ ଓ କିଶୋର ତରାଇଙ୍କ ମଧ୍ୟରେ ଦୀର୍ଘ ଦିନରୁ ତୁତୁ ମେଁମେଁ ଚାଲିଥିଲା । ଏହାରି ଭିତରେ ସୋମବାର ରାତିରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାମ ସେଠାରୁ ବିଜେଡି ସୁପ୍ରିମୋ ଘୋଷଣା କରିଥିଲେ । ଏହାକୁ ନେଇ ଅସନ୍ତୁଷ୍ଟ ସିପ୍ରା ଗତ କାଲି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।
କିନ୍ତୁ ଆଜି ସିପ୍ରା ଓ କିଶୋରଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ନବୀନ ନିବାସରେ ନବୀନଙ୍କ ଅନୁପସ୍ଥିତିରେ ସିପ୍ରା, କିଶୋର ଓ ଶଶିଭୂଷଣ ଏକାଠୀ ବିଚାର ବିମର୍ଷ କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ସମସ୍ତେ ଏକାଠୀ ହୋଇ କେନ୍ଦ୍ରାପଡା ବିଧାନସଭା ପାଇଁ ଲଢିବେ କହିବା ସହ ସିପ୍ରା ଆଜି ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହର କରି ନେବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।