ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଶନିବାର ଦିନ ଝାରସୁଗୁଡ଼ାରେ ସର୍ବନିମ୍ନ ରାତ୍ରିକାଳୀନ ତାପମାତ୍ରା ୧୦.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏହା ୧୫.୫ ଡିଗ୍ରୀ ସେଲସିୟସ୍ ରହିଥିଲା।
IMD କହିଛି ଯେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ତାପମାତ୍ରା ୧୫ ଡିଗ୍ରୀ ସ୍ତରକୁ ଖସିଆସିଛି । ଯାହା ଉପକୂଳ ଅଞ୍ଚଳରେ ଶୀତର ପ୍ରଭାବ ବୃଦ୍ଧି ପାଉଥିବାର ସ୍ପଷ୍ଟ ସଙ୍କେତ ଦେଉଛି। IMD ତଥ୍ୟ ଅନୁଯାୟୀ, ଗତ କିଛି ଦିନ ଧରି ସମଗ୍ର ଓଡ଼ିଶାରେ ରାତ୍ରିକାଳୀନ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଛି। ରାଜ୍ୟର ପଶ୍ଚିମ ଓ ଉତ୍ତର ଭାଗରେ ଏହି ହ୍ରାସ ଅଧିକ ଅନୁଭୂତ ହେଉଥିବା ବେଳେ, ଉପକୂଳ ଅଞ୍ଚଳରେ ମଧ୍ୟ ରାତିରେ ଥଣ୍ଡା ଅନୁଭୂତ ହେବା ଆରମ୍ଭ ହୋଇଛି।

ଝାରସୁଗୁଡ଼ା ଓ ଭୁବନେଶ୍ୱର ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ତାପମାତ୍ରା ହ୍ରାସ ପାଇଛି। ରାଉରକେଲାରେ ୧୨.୩ ଡିଗ୍ରୀ, କେନ୍ଦୁଝରରେ ୧୩.୦ ଡିଗ୍ରୀ, ସମ୍ବଲପୁରରେ ୧୩.୮ ଡିଗ୍ରୀ, ବାଲେଶ୍ୱରରେ ୧୫.୦ ଡିଗ୍ରୀ ଏବଂ ହୀରାକୁଦରେ ୧୫.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।

IMD କହିଛି ଯେ, ରାତ୍ରିକାଳୀନ ତାପମାତ୍ରା ହ୍ରାସ ପାଇବା କାରଣରୁ ସମଗ୍ର ରାଜ୍ୟରେ, ବିଶେଷକରି ଭୋର ସମୟରେ ଏବଂ ସନ୍ଧ୍ୟା ପରବର୍ତ୍ତୀ ସମୟରେ ବେଶ୍ ଥଣ୍ଡା ଅନୁଭୂତ ହେଉଛି। ଆଗାମୀ ଦିନଗୁଡ଼ିକରେ ରାତ୍ରିକାଳୀନ ତାପମାତ୍ରା କମ୍ ରହିବାର ସମ୍ଭାବନା ରହିଛି ଏବଂ ସମ୍ପ୍ରତି ପାଣିପାଗ ସ୍ଥିତିରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।