ସ୍ୱାମୀଙ୍କ ପରକୀୟା ସମ୍ପର୍କକୁ ନେଇ ସନ୍ଦେହ, ଆଉ ସେହି ସନ୍ଦେହରୁ ଜନ୍ମ ନେଲା ଏକ ଭୟଙ୍କର ହତ୍ୟା ଷଡ଼ଯନ୍ତ୍ର। ପ୍ରେମିକାଙ୍କୁ ହତ୍ୟା କରିବା ପାଇଁ ୧୩ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ ସ୍ତ୍ରୀ। ଏପରିକି ହତ୍ୟାକାରୀଙ୍କୁ ଟାର୍ଗେଟ୍ର ଲୋକେସନ୍ ଜଣାଇବା ପାଇଁ କାର୍ର GPS ବ୍ୟବସ୍ଥାକୁ ମଧ୍ୟ ବ୍ୟବହାର କରାଯାଇଥିଲା। ମହାରାଷ୍ଟ୍ରରେ ଘଟିଥିବା ଏହି ହତ୍ୟା ଘଟଣାର ରହସ୍ୟ ଖୋଲିବା ସହ ମୁଖ୍ୟ ଷଡ଼ଯନ୍ତ୍ରକାରୀ ସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ।
ମୃତକ ହେଉଛନ୍ତି ୩୫ ବର୍ଷୀୟ ବର୍ଷା ତୁରକର। ସେ ପୁଣେ ବିମାନବନ୍ଦରରେ ଏୟାର ଇଣ୍ଡିଆର କର୍ମଚାରୀ ଥିଲେ। ଦୀପାବଳି ଛୁଟିରେ ମଧ୍ୟପ୍ରଦେଶର ନିଜ ଗାଁ କିନ୍ହିକୁ ଆସିଥିବା ବେଳେ ନଭେମ୍ବର ୧୪ରେ ତାଙ୍କ ବନ୍ଧୁ ନିତେଶ ଅଗ୍ରୱାଲ କାର୍ରେ ବୁଲାଇବାକୁ ନେଇଥିଲେ। ତିରୋଡ଼ାରୁ ଫେରିବା ସମୟରେ ଉଭୟ ଏକ ଜଙ୍ଗଲର ନିଛାଟିଆ ସ୍ଥାନରେ ଅଟକିଥିଲେ। ସେଠାରେ ବାଇକ୍ରେ ଆସିଥିବା ତିନି ଜଣ ଦୁର୍ବୃତ୍ତ ବର୍ଷାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ପେଟ ଓ ପିଠିରେ ଏକାଧିକ ଛୁରାମାଡ଼ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣା ପରେ ନିତେଶ ଏହାକୁ ଲୁଟ୍ ଉଦ୍ଦେଶ୍ୟରେ ହୋଇଥିବା ଆକ୍ରମଣ ବୋଲି କହିଥିଲେ। କିନ୍ତୁ ବର୍ଷାଙ୍କ ସୁନା ଚେନ୍ ଓ ଅନ୍ୟ ଅଳଙ୍କାର ସୁରକ୍ଷିତ ଥିବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ଏହାପରେ ପ୍ରାୟ ୨୦୦ଟି CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରି ତଦନ୍ତ ଆଗକୁ ବଢ଼ାଇଥିଲା ପୋଲିସ।
ତଦନ୍ତରେ ଜଣାପଡ଼ିଥିଲା ଯେ, ନିତେଶ ଓ ବର୍ଷାଙ୍କ ସମ୍ପର୍କକୁ ନେଇ ତାଙ୍କ ସ୍ତ୍ରୀ ମୋନା ଅଗ୍ରୱାଲ ସନ୍ଦେହ କରୁଥିଲେ। ଏହି କାରଣରୁ ବର୍ଷାଙ୍କୁ ହତ୍ୟା କରିବା ପାଇଁ ୧୩ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିବା ପୋଲିସ କହିଛି।
ହତ୍ୟା ଯୋଜନାରେ କାର୍ର GPS ଲୋକେସନ୍କୁ ମୁଖ୍ୟ ଅସ୍ତ୍ର କରାଯାଇଥିଲା। ନିତେଶ ବ୍ୟବହାର କରୁଥିବା କାର୍ଟି ମୋନାଙ୍କ ନାଁରେ ପଞ୍ଜୀକୃତ ଥିଲା। କାର୍ର Toyota i-Connect GPS ଆପ୍ର ID ଓ ପାସୱାର୍ଡ ହତ୍ୟାକାରୀଙ୍କୁ ଦେଇଥିଲେ ମୋନା। ଏହାଦ୍ୱାରା ସେମାନେ ଘରେ ବସି କାର୍ର ଲାଇଭ୍ ଲୋକେସନ୍ ଟ୍ରାକ୍ କରୁଥିଲେ। କାର୍ଟି ଜଙ୍ଗଲର ନିଛାଟିଆ ସ୍ଥାନରେ ଅଟକିବା ମାତ୍ରେ ହତ୍ୟାକାରୀମାନେ ସେଠାରେ ପହଞ୍ଚି ବର୍ଷାଙ୍କୁ ହତ୍ୟା କରିଥିଲେ।
ଏହି ଘଟଣାରେ ମୋନା ଅଗ୍ରୱାଲ, କୁନାଲ କୁମ୍ଭଲକର, ଶାହରୁଖ ପଠାଣ ଓ ଇମ୍ରାନ ଶେଖଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଦୁଇ ଅଭିଯୁକ୍ତ ନଲେନ ଶେଖ ଓ କ୍ରିଶ ରାଉତ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି। GPS ଟ୍ରାକିଂ, CCTV ଫୁଟେଜ୍ ଓ ପୋଲିସର ତଦନ୍ତ ଶେଷରେ ଏହି ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି।