ସୟେଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶାର ଅଭିଯାନ ଆରମ୍ଭ ହୋଇଛି ପରାଜୟରୁ । ପ୍ରଥମ ମ୍ୟାଚ୍ରେ ହାଇସ୍କୋରିଂ ମୁକାବିଲାରେ ଗୁଜରାଟଠାରୁ ୨୧ ରନ୍ରେ ହାରିଛି ଓଡ଼ିଶା । ଶୁଭ୍ରାଂଶୁ ସେନାପତିଙ୍କ ବିସ୍ଫୋରକ ୮୯ ରନ୍ର ଇନିଂସ୍ ମଧ୍ୟ ଦଳକୁ ବିଜୟ ଦେଇପାରିନାହିଁ ।
କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଓଡ଼ିଶା ପ୍ରଥମେ ବୋଲିଂ କରିଥିଲା । ଦେବବ୍ରତ ପ୍ରଧାନ ଓ ଲଳିତ ଯାଦବଙ୍କ ଘାତକ ବୋଲିଂରେ ଗୁଜରାଟ ମାତ୍ର ୨୯ ରନ୍ରେ ୩ଟି ୱିକେଟ୍ ହରାଇଥିଲା । କିନ୍ତୁ ଏହାପରେ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ ୧୯ ବର୍ଷୀୟ ଖିଲାନ ପଟେଲ । ମାତ୍ର ୨୯ ବଲ୍ରୁ ୮୪ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ ସେ । ଅଧିନାୟକ ଉର୍ଭିଲ ପଟେଲ ମଧ୍ୟ ୬୨ ରନ୍ର ଦମଦାର ଇନିଂସ୍ ଖେଳିଥିଲେ । ଫଳରେ ଗୁଜରାଟ ୨୦ ଓଭରରେ ୯ ୱିକେଟ୍ ହରାଇ ୨୫୦ ରନ୍ କରିଥିଲା ।
ଜବାବରେ ୨୫୧ ରନ୍ର ବିଶାଳ ଲକ୍ଷ୍ୟ ପିଛା କରି ଓଡ଼ିଶାର ଆରମ୍ଭ ନିରାଶାଜନକ ରହିଥିଲା । ମାତ୍ର ୩ ଓଭର ମଧ୍ୟରେ ଦୁଇ ଓପନରଙ୍କ ୱିକେଟ୍ ହରାଇଥିଲା ଦଳ । ତେବେ ଶୁଭ୍ରାଂଶୁ ସେନାପତି ଓ କାର୍ତ୍ତିକ ବିଶ୍ୱାଳଙ୍କ ଲଢ଼ୁଆ ବ୍ୟାଟିଂ ଓଡ଼ିଶାକୁ ପୁଣି ମ୍ୟାଚ୍କୁ ଫେରାଇ ଆଣିଥିଲା । ଉଭୟ ତୃତୀୟ ୱିକେଟ୍ରେ ୧୨୯ ରନ୍ର ଭାଗିଦାରୀ କରିଥିଲେ । ଶୁଭ୍ରାଂଶୁ ୪୭ ବଲ୍ରୁ ୮୯ ରନ୍ ଏବଂ କାର୍ତ୍ତିକ ୩୨ ବଲ୍ରୁ ୫୫ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଗୁଜରାଟ ବୋଲର ଅର୍ଜାନ ନାଗୱାସୱାଲାଙ୍କ ଘାତକ ବୋଲିଂ ଓଡ଼ିଶାର ବିଜୟ ଆଶାରେ ପାଣି ପକାଇ ଦେଇଥିଲା । ସେ ୪ଟି ୱିକେଟ୍ ନେଇ ଓଡ଼ିଶାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । ଶେଷରେ ଓଡ଼ିଶା ୨୦ ଓଭରରେ ୮ ୱିକେଟ୍ ହରାଇ ୨୨୯ ରନ୍ରେ ସୀମିତ ରହିଥିଲା । ଫଳରେ ଶୁଭ୍ରାଂଶୁଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ପ୍ରଥମ ମ୍ୟାଚ୍ରେ ପରାଜୟର ସ୍ୱାଦ ଚାଖିଛି ଓଡ଼ିଶା ।