ଆଇଓଏ ନିର୍ବାଚନ ପୂର୍ବରୁ ପି.ଟି. ଉଷାଙ୍କୁ ବଡ଼ ଝଟକା

ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ପି.ଟି. ଉଷାଙ୍କୁ ଲାଗିଛି ବଡ଼ ଝଟକା। ‘ସ୍ପୋର୍ଟସପର୍ସନ୍ସ ଅଫ୍ ମେରିଟ୍’ (ଏସଓଏମ)ର ମହିଳା ବର୍ଗ ନିର୍ବାଚନରେ ପରାଜୟର ସାମ୍ନା କରିଛନ୍ତି ଉଷା। ଏହା ସହ ଆସନ୍ତା ଡିସେମ୍ବର ୫ ତାରିଖରେ ହେବାକୁ ଥିବା ଆଇଓଏ ନିର୍ବାଚନରେ ପୁନର୍ବାର ସଭାପତି ହେବା ନେଇ ତାଙ୍କ ଆଶା ମଉଳିବାରେ ଲାଗିଛି।

ମହିଳା ବର୍ଗର ୪ଟି ଆସନ ପାଇଁ ମୋଟ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ୮୦ ଜଣ ଭୋଟରଙ୍କ ମଧ୍ୟରୁ ଅଞ୍ଜୁ ବବି ଜର୍ଜ ସର୍ବାଧିକ ୫୩ଟି ଭୋଟ୍ ପାଇ ପ୍ରଥମ ସ୍ଥାନରେ ରହିଥିବାବେଳେ ରାଣୀ ରାମପାଲ ୫୦, ଡୋଲା ବାନାର୍ଜୀ ୪୫ ଏବଂ ସାଇନା ନେହୱାଲ ୪୩ଟି ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ପି.ଟି. ଉଷା ୪୦ଟି ଭୋଟ୍ ପାଇ ପରାଜିତ ହୋଇଥିବାବେଳେ ଅନୀତା ପଲ୍ ଦୁରାଇ ମାତ୍ର ୬ଟି ଭୋଟ୍ ପାଇଛନ୍ତି। ସେହିପରି ପୁରୁଷ ବର୍ଗରେ ଗଗନ ନାରଙ୍ଗ, ବିଜେନ୍ଦ୍ର ସିଂହ, ଯୋଗେଶ୍ୱର ଦତ୍ତ ଏବଂ କମଲେଶ ମେହେଟ୍ଟା ନିର୍ବିରୋଧରେ ଏସଓଏମ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ଆଇଓଏ ସମ୍ବିଧାନ ଅନୁଯାୟୀ, ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ହେଲେ ପ୍ରାର୍ଥୀଙ୍କୁ ଏସଓଏମ କିମ୍ବା କୌଣସି ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ଭାବେ ଜେନେରାଲ୍ ଆସେମ୍ବଲିର ସଦସ୍ୟ ହେବା ଆବଶ୍ୟକ। ୨୦୨୨ରେ ଏସଓଏମ କୋଟାରୁ ନିର୍ବାଚିତ ହୋଇ ପି.ଟି. ଉଷା ଆଇଓଏର ପ୍ରଥମ ମହିଳା ସଭାପତି ହୋଇଥିଲେ। କିନ୍ତୁ ଏଥର ଏସଓଏମ ନିର୍ବାଚନରେ ହାରିବା ପରେ ତାଙ୍କ ପାଇଁ ଅଧ୍ୟକ୍ଷ ପଦର ରାସ୍ତା କଷ୍ଟକର ହୋଇପଡ଼ିଛି। ଯଦି କୌଣସି ଜାତୀୟ କ୍ରୀଡ଼ା ମହାସଂଘ ତାଙ୍କୁ ମନୋନୀତ ନକରେ, ତେବେ ସେ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇପାରନ୍ତି।

ଏପଟେ ଆଇଓଏର ପରବର୍ତ୍ତୀ ସଭାପତି ପଦ ପାଇଁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ତଥା ଶୁଟର୍ ଗଗନ ନାରଙ୍ଗଙ୍କ ନାମ ଚର୍ଚ୍ଚାରେ ରହିଛି। ୪୩ ବର୍ଷୀୟ ନାରଙ୍ଗ ଏବେ ଏହି ପଦ ପାଇଁ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି।