ଦୀପାବଳିରେ ବୋନସ ଲକ୍ଷେ ଟଙ୍କା

ଦୀପାବଳିରେ ବୋନସ ଲକ୍ଷେ ଟଙ୍କା । ସୁରତର ଜଣେ କପଡ଼ା ବ୍ୟବସାୟୀ ତାଙ୍କ କର୍ମଚାରୀମାନଙ୍କୁ ବୋନସ ଦେବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହିତ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏହି ବ୍ୟବସାୟୀଙ୍କ ନାଁ ରାମସ୍ୱରୂପ ମୁଣ୍ଡେ। ସେ ତାଙ୍କର ୨୦ ଜଣ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଦେଇଛନ୍ତି। ସେ ପ୍ରତ୍ୟେକ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଦେବାକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ସେତିକି ଆଲୋଚନା ହେଉଛି ତାଙ୍କର ଏହି ଟଙ୍କା ପ୍ରଦାନ କରିବାର ଶୈଳୀକୁ ନେଇ।

ରାମସ୍ୱରୂପ ମୁଣ୍ଡେ ଚାହିଁଥିଲେ ତାଙ୍କର ଏହି ୨୦ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପାରିଥାଆନ୍ତେ ଅବା ଚେକ୍ ଦେଇପାରିଥାଆନ୍ତେ। କିନ୍ତୁ ସେ ସେମିତି କରି ନାହାନ୍ତି। ସେ ସମସ୍ତଙ୍କୁ ନଗଦ ୧ ଲକ୍ଷ ଟଙ୍କା ଲେଖାଏ ଦେଇଛନ୍ତି।

ନଗଦ ଅର୍ଥ ଦେବା ପାଇଁ ସେ ଯେଉଁ ଶୈଳୀ ଆପଣାଇଛନ୍ତି, ତାହା ବି ଖୁବ୍ ନିଆରା। ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଏକ ଥାଳିରେ ରଖିଛନ୍ତି ବିଡ଼ା ବିଡ଼ା ନୋଟ୍‌। ୧୦ ଟଙ୍କିଆ ନୋଟ୍‌ରୁ ଆରମ୍ଭ କରି ୫୦୦ ଟଙ୍କିଆ ପର୍ୟ୍ୟନ୍ତ- ସବୁ ପ୍ରକାର ନୋଟ୍‌ ରହିଛି  । ସବୁ ପ୍ରକାର ନୋଟ୍‌ରୁ ଗୋଟିଏ ଗୋଟିଏ ବିଡ଼ା କାଢ଼ି ଏକାଠି କରି ତାଙ୍କ ପତ୍ନୀଙ୍କ ହାତକୁ ବଢ଼ାଇ ଦେଉଛନ୍ତି ଶ୍ରୀ ମୁଣ୍ଡେ। ଆଉ ତାଙ୍କ ପତ୍ନୀ କର୍ମଚାରୀମାନଙ୍କୁ ସେହି ଅର୍ଥ ପ୍ରଦାନ କରୁଛନ୍ତି।