ଜଳିଗଲେ ଗୋଟିଏ ପରିବାରର ୬ଜଣ

ଦୁଃଖ ଦେଇ ଗଲା ଆଲୋକର ପର୍ବ ଦୀପାବଳି। ଏହି ପବିତ୍ର ଦିନକୁ ସମସ୍ତେ ଧୂମଧାମରେ ପାଳନ କରିଥିଲେ। ହେଲେ ଦୀପାବଳି ପାଳି ଶୋଇଥିବା ବେଳେ ଗୋଟିଏ ପରିବାରର ସହ ଘଟିଛି ଅଘଟଣ। ଘରେ ନିଆଁ ଲାଗି ଚାଲି ଯାଇଛି ଗୋଟିଏ ପରିବାରର ୬ଜୀବନ। ସେହିପରି ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ମଧ୍ୟପ୍ରଦେଶର ସେଓନି ଜିଲ୍ଲାରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତକମାନେ ହେଲେ ୭୫ ବର୍ଷୀୟ କୁନ୍ଦନ, ତାଙ୍କ ପତ୍ନୀ ରାଜକୁମାରୀ, ଋତୁ ସୋନି, ସ୍ମୃତି ସୋନି, ସୂର୍ୟ୍ୟ ସୋନି ଓ ୧୬ ବର୍ଷୀୟ ଆଦିତ୍ୟ ସୋନି । ବାକି ୪ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେଓନି ଜିଲ୍ଲାର ମହାବୀର ୱାର୍ଡର ଜୈନ ମନ୍ଦିର ନିକଟରେ ଥିବା ୩ ମହଲା କୋଠାରେ ରହୁଥିଲେ କୁନ୍ଦନ ଲାଲ ସୋନି ଓ ତାଙ୍କ ପରିବାର। ଅଳଙ୍କାର କାରୁକାର୍ଯ୍ୟ କରନ୍ତି କୁନ୍ଦନ। ରବିବାର ଦୀପାବଳି ଥିବାରୁ ପରିବାର ସଦସ୍ୟମାନେ ଦୀପ ଜାଳି ଓ ବାଣ ଫୁଟାଇ ଏହାକୁ ଉପଭୋଗ କରିଥିଲେ। ଏହାପରେ ସମସ୍ତେ ଶୋଇବାକୁ ଚାଲି ଯାଇଥିଲେ। ହେଲେ କେହି ବି ଜାଣି ନଥିଲେ ଯେ ଏହା ସେମାନଙ୍କ ଜୀବନର ଶେଷ ରାତି। ଭୋର ପ୍ରାୟ ୪ଟାରୁ ୪.୩୦। ସମସ୍ତେ ଶୋଇଥିବା ବେଳେ ୩ ମହଲା ବିଶିଷ୍ଟ ବିଲଡିଂରେ ଲାଗି ଯାଇଥିଲା ନିଆଁ। ଆଉ ନିଆଁ ଓ ଧୂଆଁର ଆଁରେ ଫସି ଯାଇଥିଲେ ସୋନି ପରିବାରର ସମସ୍ତ ସଦସ୍ୟ। ଶେଷରେ ନିଆଁ ଓ ଧୂଆଁ ସୋନି ପରିବାରର ୬ ଜଣ ସଦସ୍ୟଙ୍କ ଜୀବନ ନେଇ ଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ନାବାଳକ ମଧ୍ୟ ରହିଛନ୍ତି। ଘଟଣା ବେଳେ ସୋନି ପରିବାରର ୧୦ ଜଣ ସଦସ୍ୟ ଘର ଭିତରେ ଥିଲେ।