ମହାନଦୀ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ସକାଳେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ।

ଏହି ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ସମେତ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ବୈଷୟିକ କମିଟି ସଦସ୍ୟମାନେ ମଧ୍ୟ ଯୋଗଦେବେ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଜଳ ଭାଗବଣ୍ଟା ବିବାଦର ସମାଧାନ ଦିଗରେ ଏହି ବୈଠକକୁ ଏକ ନିର୍ଣ୍ଣାୟକ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

ଅନ୍ୟପକ୍ଷରେ, ଗସ୍ତ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସାଏ ଆଶାବାଦୀ ମତ ପ୍ରକାଶ କରି କହିଛନ୍ତି ଯେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ବୈଠକରେ ଯେଉଁ ନିଷ୍ପତ୍ତି ନିଆଯିବ, ତାହା ସେମାନଙ୍କ ପାଇଁ ଗ୍ରହଣୀୟ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଝୀ ମଧ୍ୟ ଆଶା ପ୍ରକାଶ କରିଥିଲେ ଯେ ଦୀପାବଳି ପୂର୍ବରୁ ଏହି ବିବାଦର ସମାଧାନ ହୋଇଯିବ।