ରାୟଗଡାରୁ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ୭୭୫ ବରିଷ୍ଠ ନାଗରିକ

ରାୟଗଡା: ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଆଜି ରାୟଗଡାରୁ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ପ୍ରାୟ ୭୭୫ ଜଣ ବରିଷ୍ଠ ନାଗରିକ ଯାତ୍ରା ଆରମ୍ଭ କରିଛନ୍ତି ö ରାୟଗଡା ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ରାୟଗଡା ସମେତ ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ବରିଷ୍ଠ ନାଗରିକମାନେ ଏହି ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି ö ପ୍ରାୟ ୬ ଦିନ ଧରି ଚାଲିବାକୁ ଥିବା ଏହି ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକ ମାନେ ଅଯୋଧ୍ୟା ଓ ବାରଣାସୀର ବିଭିନ୍ନ ଧାର୍ମିକ ସ୍ଥଳୀ ଦର୍ଶନ କରିବା ପରେ ରାୟଗଡାକୁ ଫେରିବେ ö ଯାତ୍ରା ପୂର୍ବରୁ ରାୟଗଡାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରାର ସଫଳତା ଓ ମଙ୍ଗଳ କାମନା କରିଥିଲେ ö କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ରାୟଗଡା ଏସ୍‌ପି ରାଜ ପ୍ରସାଦ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକାଙ୍କ ସମେତ ବହୁ ଅଧିକାରୀ ଓ ଜନପ୍ରତିନିଧି ଯୋଗଦେଇଥିଲେ। ବରିଷ୍ଠ ନାଗରିକମାନଙ୍କ ମୁହଁରେ ତୀର୍ଥଯାତ୍ରାକୁ ନେଇ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ନିଜ ଜୀବନର ଏକ ଦୀର୍ଘଦିନର ଧାର୍ମିକ ଆକାଂକ୍ଷା ପୂରଣ ହେବାକୁ ଯାଉଥିବାରୁ ଯାତ୍ରୀମାନେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ନେଇ ଖୁସି ପ୍ରକାଶ କରିଛନ୍ତି।