ନୂଆଗାଁ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ମେଳା ହୋଇଯାଇଛି।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନେ ମୋଟ ୧୭ଟି ଷ୍ଟଲ ନେଇ ପ୍ରଦର୍ଶନୀ କରିଥିଲେ।ଏଠାରେ କୁନି କୁନି ବୈଜ୍ଞାନିକ ମାନଙ୍କ ଭିତରେ ଥିବା ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା।ଯାହାକି ଶିଳ୍ପ, ପରିବେଶ ସୁରକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା ଓ ମହାକାଶ ବିଜ୍ଞାନ ଭଳି ବିଭିନ୍ନ ବିଷୟବସ୍ତୁ ପ୍ରକଳ୍ପ ଉପରେ ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମରେ ବିଚାରକ ଭାବେ ସିଆରସିସି ମମତାମଞ୍ଜରୀ ଦେବୀ, ଉଦୟପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରହଲ୍ଲାଦ ସାହୁ ଏବଂ ନୂଆଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିବଶଙ୍କର ବେହେରା ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଅତିଥି ଭାବେ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜ୍ଞାନ ଶିକ୍ଷାର ମହତ୍ତ୍ୱ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ।ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।