ସାପ କାମୁଡାରେ ମଣିଷର ମୃତୁ୍ୟ ହୋଇଥାଏ । ହେଲେ କେବେ ମଣିଷ କାମୁଡାରେ ସାପର ମୃତୁ୍ୟ ହୋଇଥିବା ଖବର ଶୁଣିଛନ୍ତି କି? ଏ କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୁଣିଆର ଅନ୍ଧବିଶ୍ୱାସୀ କଥାରେ ପଡ଼ି ଜଣେ ଯୁବକ ନାଗସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ମାରିଦେବା ଭଳି ଏକ ଅଜବ ଓ ଆଶ୍ଚର୍ୟ୍ୟଜନକ ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ପାକେଲପଡ଼ା ଓ କର୍ମାପଡ଼ା ଅଞ୍ଚଳରେ ।
ସୂଚନା ଅନୁସାରେ, କର୍ମାପଡ଼ାର ଧରମସିଙ୍ଗ ଖଡ଼ିଆ ରବିବାର ସନ୍ଧ୍ୟାରେ ନିଜ କ୍ଷେତକୁ ବେଳେ ରାସ୍ତାରେ ହଠାତ୍ ତାଙ୍କ ପାଦ ଏକ ନାଗସାପ ଉପରେ ପଡ଼ିଯାଇଥିଲା । ଏଥିରେ ସାପଟି ଫଣା ଟେକି ଛିଡ଼ା ହୋଇଯିବାରୁ ସେ ଭୟଭୀତ ହୋଇପଡ଼ିଥିଲେ । ଫଳରେ ସାପଟି ଫଣା ଟେକି ତାଙ୍କୁ କାମୁଡ଼ି ଦେଇଥିଲା। ତେବେ ପୂର୍ବରୁ ଜଣେ ଗୁଣିଆଙ୍କଠାରୁ ସାପ କାମୁଡ଼ିବା ପରେ ତାକୁ ସଙ୍ଗେ ସଙ୍ଗେ କାମୁଡ଼ି ଦେଲେ ବିଷ ଲାଗେନାହିଁ ବୋଲି ଶୁଣିଥିବା କଥାକୁ ବିଶ୍ୱାସ କରି ଧର୍ମସିଂ ଭୟଭୀତ ଅବସ୍ଥାରେ ସାପଟିକୁ ହାତରେ ଧରି ତା’ର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଇଥିଲେ। ଫଳରେ ସାପଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଏହାପରେ ଧର୍ମସିଂ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା କୁହାଯାଇଥିଲେ ମଧ୍ୟ ସତର୍କତାମୂଳକ ଭାବେ ତାଙ୍କୁ ୨୪ ଘଣ୍ଟା ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି । ବିଶେଷଜ୍ଞଙ୍କ ମତରେ ସାପକୁ କାମୁଡ଼ିଲେ ବିଷ ନଷ୍ଟ ହୋଇଯାଏ ବୋଲି ପ୍ରଚଳିତ ଧାରଣା ସମ୍ପୂର୍ଣ୍ଣ ଭ୍ରାନ୍ତ ଓ ଅନ୍ଧବିଶ୍ୱାସ। ବିଷଧର ସାପ କାମୁଡ଼ିଲେ ଗୁଣିଆ, ଝାଡ଼ଫୁଙ୍କା କିମ୍ବା ଘରୋଇ ଉପଚାର ଉପରେ ନିର୍ଭର ନ କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବା ହିଁ ସବୁଠାରୁ ଜରୁରୀ।