ସ୍କୁଲ ସମୟରେ ବଜାରରେ ବୁଲୁଛନ୍ତି ଶିକ୍ଷକ : ନିରବ ଶିକ୍ଷା ବିଭାଗ

ରାଇଘର: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ପଞ୍ଚାୟତ ବୋରଗା ଶିକ୍ଷକଙ୍କ ଚେତା ପଶୁନାହିଁ । ବୋରଗା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ(ବୁଲୁ ପାଣିଗ୍ରାହୀ)ଙ୍କ ଅନୁପସ୍ଥିତିକୁ ନେଇ ଚଳିତ ଅନେକ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ତେବେ ଖବର ପ୍ରକାଶ ପରେ ମଧ୍ୟ ସମ୍ପୃକ୍ତ ଶିକ୍ଷକଙ୍କ କାର‌୍ୟ୍ୟଶୈଳୀରେ ସୁଧାର ଆସିନଥିବା ନେଇ ପୁଣିଥରେ ଅଭିଯୋଗ ସାମ୍ନାକୁ ଆସିଛି।ଅଭିଯୋଗ ଅନୁଯାୟୀ, ଶନିବାର ସକାଳେ ବିଦ୍ୟାଳୟ ଚାଲିଥିବା ସମୟରେ ସମ୍ପୃକ୍ତ ଶିକ୍ଷକଙ୍କୁ ରାଇଘର ବଜାରରେ ଦେଖାଦେଇଥିଲେ। ଏହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କ କହିବା ଅନୁଯାୟୀ ବିଦ୍ୟାଳୟ ସମୟରେ ଶିକ୍ଷକଙ୍କ ଉପସ୍ଥିତି ନିଶ୍ଚିତ ହେବା ଉଚିତ। ଏହି ଘଟଣା ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଘଟିଥିବାରୁ ସ୍ଥାନୀୟ ମହଲରେ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠୁଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଅବ୍ୟବସ୍ଥିତ ଥିବାରୁ ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର (TC) ନେଇ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଉଛନ୍ତି। ପୂର୍ବରୁ ଅଧିକ ସଂଖ୍ୟାରେ ଥିବା ଛାତ୍ରାବାସର ଛାତ୍ରଙ୍କ ସଂଖ୍ୟା ମଧ୍ୟ ବର୍ତ୍ତମାନ କମିଯାଇଥିବା ନେଇ ଅଭିଯୋଗ କରାଯାଇଛି। ବାରମ୍ବାର ଏଭଳି ଅଭିଯୋଗ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଥିବା ନେଇ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ନିୟମାନୁଯାୟୀ ବିଭାଗୀୟ କାର‌୍ୟ୍ୟାନୁଷ୍ଠାନ ନେବା ସହ ବିଦ୍ୟାଳୟରେ ନିୟମିତ ତଦାରଖ କରିବାକୁ ଦାବି କରାଯାଇଛି। ଯଦି ଅଭିଯୋଗ ଗୁଡ଼ିକର ଉଚିତ ତଦନ୍ତ ଓ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡ଼ିପାରେ।କେତେକ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଖବର ପ୍ରକାଶ ପରେ ମଧ୍ୟ ସମ୍ପୃକ୍ତ ଶିକ୍ଷକ ପୂର୍ବଭଳି ନିଜ ବ୍ୟକ୍ତିଗତ ବ୍ୟବସାୟରେ ବ୍ୟସ୍ତ ରହୁଥିବା ଦେଖାଯାଉଛି।ଏହି ସମ୍ପର୍କରେ ରାଇଘର ବ୍ଲକର ଉପ-ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ ଯେ ସମ୍ପୃକ୍ତ ଶିକ୍ଷକଙ୍କଠାରୁ ସ୍ପଷ୍ଟୀକରଣ ନିଆଯିବ। ତେବେ ଏହି ଘଟଣା ସମ୍ପର୍କରେ ଆଉ କୌଣସି ପ୍ରତିକ୍ରିୟା ମିଳିନଥିଲା।ଉଲ୍ଲେଖନୀୟ ଯେ ସମାନ ପ୍ରକାରର ଅଭିଯୋଗ ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଥିବାବେଳେ ପୁଣିଥରେ ଏପରି ଅଭିଯୋଗ ଆସିବା ଫଳରେ ଶିକ୍ଷା ବିଭାଗର ତଦାରଖ ବ୍ୟବସ୍ଥା ଓ ଗ୍ରହଣ କରାଯାଉଥିବା ପଦକ୍ଷେପର ପ୍ରଭାବକୁ ନେଇ ସ୍ଥାନୀୟରେ ପ୍ରଶ୍ନ ଉଠୁଛି।