ଝିଅ ଟିଏ ବୋଲି ଦୁନିଆ ଭଲରେ ନ ଦେଖୁଣୁ ବୁଜିଲା ଆଖି…

ମା… କ’ଣ ପୁଅ ହୋଇଥିଲେ ମୁଁ ଏବେ ମୃତ୍ୟୁ ଶେଯରେ ଶୋଇଥାନ୍ତି? ଯେଉଁ ହାତ ମତେ ବଡ କରିଥାନ୍ତା ସେ ପୁଣି ହତ୍ୟା କଲା। ମମତାରେ କୋଳେଇ ନେଇ ହତ୍ୟା ଆଡକୁ ନେଇଜ୍ଞଲା । କ’ଣ କେବେ ଶିଶୁ ପୁଅଟି ସହ ବି ଏମିତି ହୁଏ? କେବଳ ପାଞ୍ଚଦିନର ଜୀବନ ଘରେ ସଭିଏଁ ନୂଆ ଅତିଥିକୁ ସ୍ୱାଗତ କରିବାରେ ବ୍ୟସ୍ତ । ହେଲେ ଏବେ ଦୁଃଖର କରୁଣ ଚିତ୍କାର । ଏଭଳି ଘଟଣା ମଧ୍ୟପ୍ରଦେଶର ସିଧି ଜିଲ୍ଲା ଅନ୍ତର୍ଗତ ଚୁରହଟ ଥାନା ଅଞ୍ଚଳରେ ଭେଲକି ଗ୍ରାମରେ ଘଙ୍କିଛି । ଘର ଭିତରେ ଥିବା ପାଣି ଭର୍ତ୍ତି ନୀଳଡ୍ରମ୍ ଭିତରୁ ପାଞ୍ଚ ଦିନର ଶିଶୁ କନ୍ୟାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏହା ଏକ ଦୁର୍ଘଟଣା ନଚେତ୍ କେହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରିବା ଭଳି ଲାଗୁଥାଇପାରେ । କିନ୍ତୁ ସତ ଛାତି ଥରାଇଦେବ ।

ପୋଲିସର କହିବା ଅନୁଯାୟୀ , ଅନ୍ୟ କେହି ନୁହେଁ ବରଂ ତା’ ମା’ ହିଁ ପିଶାଚିନୀ ସାଜିଛି । ବୟାନ ରେକର୍ଡ ସମୟରେ ଶିଶୁଟିର ମା’ଙ୍କ କଥାରେ ତାଳମେଳ ରହିନଥିବାରୁ ପୋଲିସ କଡାକଡି ପଚରାଉଚରା ଜାରି ରଖିଥିଲେ । ପରେ ସେ ତାଙ୍କ ଅପରାଧ ସ୍ୱୀକାର କରିଥିଲେ । ମହିଳା ଜଣକ କହିଛନ୍ତି ଯେ, ପୂର୍ବରୁ ତାଙ୍କର ଗୋଟେ ଝିଅ ଅଛି ଏବଂ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ଭବିଷ୍ୟତରେ ଶିଶୁର ଲାଳନପାଳନକ ନେଇ ସେ ଚିନ୍ତିତ ଥିଲେ । ଚାପ ଗ୍ରସ୍ତ ହୋଇ ସେ ଏହି ଅପରାଧ କରିଥିବା ସ୍ୱୀକାର କରିଛନ୍ତି ।
ଉକ୍ତ ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସମାଜ ସମ୍ମୁଖରେ ବଡ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି ଯେ, ସମାଜର ମାନସିକତା କ’ଣ ଏବେବି ବଦଳି ନାହିଁ । ଅର୍ଥାଭାବ ଓ ପାରିବାରିକ ଚାପ କ’ଣ ଗୋଟେ ମା’ର ମମତାକୁ ଏେ ଦୁର୍ବଳ କରିଦେଇପାରେ? ଶେଷରେ ସେ ନିଜ ରକ୍ତକୁ ହତ୍ୟା କରିବାକୁ ପଛେଇଲା ନାହିଁ । ସେହି ନୀଳଡ୍ରମ୍ ଟି କଅଁଳ ଶିଶୁର ଶବ ବହନ କରିବା ସହ ସମାଜର ପତନକୁ ଦର୍ଶାଇଛି । ଏନେଇ ପୋଲିସର ତଦନ୍ତ ଜାରି ରହିଥିବାବେଳେ ସାରା ଦେଶରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି ।