ଜଙ୍ଗଲରେ ପଡିଛି ଅଣ୍ଡିରା ଶାବକ ହାତୀର ମୃତ ଦେହ

ଦେବଗଡ଼ ଜିଲ୍ଲା-ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଅଣ୍ଡିରା ଶିଶୁ ଶାବକ ହାତୀର ଶବ ଉଦ୍ଧାର । ଶୁକ୍ରବାର ଅପରାହ୍ନରେ ଅନୁଗୁଳ ଜିଲ୍ଲାର ପାଖ ଅଞ୍ଚଳ ହୋଇଥିବାରୁ ୧୮ ଟିକିଆ ହାତୀପଲ କୁଣ୍ଢେଇଗୋଳା ଅଞ୍ଚଳକୁ ପଳାଇ ଆସିଥିଲେ । ହେଲେ କୌଣସି କାରଣରୁ ଏହି ଅଣ୍ଡିରା ଶିଶୁ ଶାବକ ହାତୀ ଛୁଆର ମୃତ୍ୟୁ ଘଟିଥିବା ବେଳେ ମା’ ହାତି ଓ ଛୁଆ ହାତୀକୁ ଛାଡି ଅନ୍ୟ ହାତୀମାନେ ପଳାଇ ଯାଇଥିଲେ । ଶନିବାର ସକାଳେ ନିକଟସ୍ଥ ଜଙ୍ଗଲ ମଧ୍ୟରେ ମୃତ ଶିଶୁ ଶାବକ ହାତୀର ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଫରେଷ୍ଟର ମନ୍ମଥ ବେହେରା ଓ ବନ ବିଭାଗର ଟିମ ଘଟଣା ସ୍ଥଳରେ ପହଞ୍ଚି ରିଆମାଳ ରେଞ୍ଜର ଓ ଡିଏଫଓଙ୍କୁ ଜଣାଇଥିଲେ ।
ମା ହାତୀଟି ମୃତ ଛୁଆ ହାତୀର ଶଵକୁ ଜଗି ରହିଥିବା ବେଳେ କାହାରିକୁ ଆଖପାଖ ଅଞ୍ଚଳକୁ ପଶାଇ ଦେଉନଥିଲା । ପାଖକୁ ଗଲେ ଲୋକଙ୍କୁ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା । ତେବେ କେଉଁ କାରଣରୁ ହାତୀ ଛୁଆର ମୃତ୍ୟୁ ଘଟିଛି ବର୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିବା ଜଣାପଡିଛି । ଦେବଗଡ଼ ଡିଏଫଓ ଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ତଦନ୍ତ ଚାଲିଛି, ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି ।