ବ୍ୟକ୍ତିଗତ ଜମି ବିବାଦ ଓ ମାମଲା ରୁଜୁ କରାଯାଇ ନଥିବା ବିରୁଦ୍ଧରେ ଥାନା ଘେରାଉ…

ବାଲିଚନ୍ଦ୍ରପୁର ,ବ୍ୟକ୍ତିଗତ ଜମି ବିବାଦ ସହିତ ଥାନାରେ ମାମଲା ରୁଜୁ କରାଯାଇନଥିବା ପ୍ରତିବାଦରେ ଆଜି ସନ୍ଧ୍ୟାରେ ଚାରିନଙ୍ଗଳ ପଞ୍ଚାୟତ ଗହରନଗର ଦଳିତ ସାହିର ବହୁ ସଂଖ୍ୟକ ପୁରୁଷ ଓ ମହିଳା ବାଳିଚନ୍ଦ୍ରପୁର ଥାନା ଘେରାଉ କରି ନ୍ୟାୟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ଏହି ଗହରନଗର ଦଳିତ ସାହି ବାସିନ୍ଦାଙ୍କ ଯାତାୟତ ପାଇଁ ଆଦୌ ରାସ୍ତା ନାହିଁ । ଦୀର୍ଘ ବର୍ଷ ଧରି ଏମାନେ ଏଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ତେବେ ଏହି ବସ୍ତି ନିକଟରେ ଥିବା ସ୍ଥାନୀୟ କେତେକ ଲୋକଙ୍କର ବ୍ୟକ୍ତିଗତ ଜମିରେ ଅସ୍ଥାୟୀ ରାସ୍ତା କରି ଯାତାୟତ କରିଥାନ୍ତି । ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଏହି ସାହି ବାସିନ୍ଦା ବର୍ଷ ବର୍ଷ ଧରି ସରକାରଙ୍କ ପାଖରେ ଦାବି କରି ଆସୁଥିଲେ ମଧ୍ୟ ବସ୍ତି ନିକଟରେ ଆଦୌ ସରକାରୀ ଜମି ନଥିବାରୁ ଏହା ସମ୍ଭବ ହୋଇ ପାରୁନାହିଁ ।

ତେବେ ବସ୍ତି ବାସିନ୍ଦା ଗତ ୯ ତାରିଖ ଦିନ ସେମାନେ ଯାତାୟତ କରୁଥିବା ଉଦୟନାଥ ପରିଡା ଓ ଅନ୍ୟ କେତେକ ବ୍ୟକ୍ତିଗତ ଜମିରେ ଅସ୍ଥାୟୀ ରାସ୍ତାକୁ ସ୍ଥାୟୀ ରାସ୍ତାରେ ପରିଣତ କରିବା ପାଇଁ ସେଠାରେ ମୋରମ ଓ ବୋଲ୍ଡର ପକାଇଥିଲେ । ତେବେ ମୋରମ ପକାଯାଉଥିବା ଦେଖି ସ୍ବର୍ଗତ ଉଦୟନାଥଙ୍କ ପରିବାର ପକ୍ଷରୁ ଲାଲୁ ପରିଡା ଓ କାଲୁ ପରିଡା ଘଟଣା ସ୍ଥଳକୁ ଆସି ଏହାର ବିରୋଧ କରିଥିଲେ । ଏନେଇ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ସହିତ ଗଣ୍ଡଗଳ ହୋଇଥିଲା । ପରେ ଏନେଇ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ କାଲୁ ପରିଡା ଓ ଲାଲୁ ପରିଡାଙ୍କ ନାମରେ କାହିଁକି ପୋଲିସ ମାମଲା ରୁଜୁ କରି ନାହିଁ ବୋଲି ଏହାର ପ୍ରତିବାଦରେ ଦଳିତ ସାହିର ପୁରୁଷ ଓ ମହିଳା ମାନେ ଆଜି ଆସି ଥାନା ଘେରାଉ କରିଥିଲେ ।

ତେବେ ଏନେଇ ବାଲିଚନ୍ଦ୍ରପୁର ଥାନାଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତିଯେ,ଏହି ଦଳିତ ସାହିର ରାସ୍ତା ନିର୍ମାଣ ପାଇଁ ଆଦୌ ସରକାରୀ ଜମି ନାହିଁ । ତେଣୁ ଏହି ଘଟଣା ପରେ ଉଭୟ ପକ୍ଷଙ୍କୁ ଅବଗତ କରାଇ ଏହାର ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଜଣାଇଥିଲୁ । ତେବେ ଆଜି ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ଥାନା କେଶ ନମ୍ବର ୨୦୬/୨୬ ଓ ୨୦୭/୨୬ରେ ଦୁଇଟି ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଥାନା ପକ୍ଷରୁ ମାମଲା ରୁଜୁ ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ।