ସୋମବାର ଜାପାନର ଉତ୍ତର-ପୂର୍ବ ଉପକୂଳରେ ପ୍ରଶାନ୍ତ ମହାସାଗରରେ ଏକ ଶକ୍ତିଶାଳୀ 7.4 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ୪:୫୩ ରେ ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ମାତ୍ର ୧୦ କିଲୋମିଟର ଥିଲା, ଯାହା ଫଳରେ ଭୂମିକମ୍ପଟି ବହୁତ ଶକ୍ତିଶାଳୀ ହୋଇଥିଲା। ଜାପାନର ଏକ ବନ୍ଦରରେ ୮୦ ସେଣ୍ଟିମିଟର (୩୧ ଇଞ୍ଚ) ଉଚ୍ଚ ସୁନାମି ଲହରୀ ଆଘାତ କରିଥିଲା।
ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଭୂମିକମ୍ପ କେନ୍ଦ୍ରଠାରୁ ଶହ ଶହ କିଲୋମିଟର ଦୂରରେ ଥିବା ଉଚ୍ଚ କୋଠାଗୁଡ଼ିକ ମଧ୍ୟ ଥରି ଉଠିଥିଲା। ଅନେକ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ବଡ଼ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ରିପୋର୍ଟ ମିଳି ନଥିଲେ ମଧ୍ୟ, ପରିସ୍ଥିତି ଉପରେ ନଜର ରଖାଯାଇଛି। ଏହା ସହିତ, କ୍ୟୋଡୋ ଅନୁଯାୟୀ, ଜାପାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଟୋକିଓ-ଆଓମୋରି ବୁଲେଟ୍ ଟ୍ରେନ୍ ଲାଇନର କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା।
ଜାପାନ ପାଣିପାଗ ସଂସ୍ଥା (JMA) କହିଛି ଯେ ସୋମବାର ଦିନ ଉତ୍ତର ଜାପାନର ଏକ ବନ୍ଦରରେ 80 ସେଣ୍ଟିମିଟର (31 ଇଞ୍ଚ) ଉଚ୍ଚତାର ସୁନାମି ଲହରୀ ଆସିଥିଲା। ସନ୍ଧ୍ୟା 5:34 ରେ ଇୱାଟେର କୁଜିରେ ଥିବା ଏକ ବନ୍ଦରରେ ଏହି ଲହରୀ ପରିଲକ୍ଷିତ ହୋଇଥିଲା। ପୂର୍ବରୁ ଏଜେନ୍ସି ସନ୍ଧ୍ୟା 5:32 ରେ 70 ସେଣ୍ଟିମିଟର ଲହରୀ ରିପୋର୍ଟ କରିଥିଲା। ଏଜେନ୍ସି ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନଙ୍କୁ ତୁରନ୍ତ ଉଚ୍ଚ ଭୂମିକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି। ସୁନାମି ଲହରୀ ଆଶଙ୍କା କରାଯାଉଛି, ତେଣୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଜାପାନୀ ଗଣମାଧ୍ୟମ NHK କୁ ଉଦ୍ଧୃତ କରି ରଏଟର୍ସ ରିପୋର୍ଟ କରିଛି ଯେ ଶକ୍ତିଶାଳୀ ଭୂକମ୍ପ କାର୍ଯ୍ୟକଳାପ ଉପକୂଳ ନିକଟରେ ସୁନାମି ମଧ୍ୟ ସୃଷ୍ଟି କରିଛି।
ପାଣିପାଗ ସଂସ୍ଥା ସତର୍କ କରାଇ ଦେଇଛି ଯେ ସୁନାମି ଲହରୀ ପ୍ରାୟ ତୁରନ୍ତ ଉତ୍ତର ଉପକୂଳରେ ପହଞ୍ଚିପାରେ। ଏହା ଉପକୂଳ ଅଞ୍ଚଳ ଏବଂ ନଦୀକୂଳର ଲୋକମାନଙ୍କୁ ତୁରନ୍ତ ଉଚ୍ଚ ଭୂମି କିମ୍ବା ସୁରକ୍ଷିତ କୋଠା ଭଳି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି ଏବଂ ସତର୍କ କରାଇ ଦେଇଛି ଯେ ସୁନାମି ଲହରୀ କ୍ଷତି କରିପାରେ।