ମେ’ ପହିଲାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ରାଜନଗର ବନଖଣ୍ଡ ପକ୍ଷରୁ ମେ’ ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏବେ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ନଦୀ ଓ ନାଳମାନଙ୍କରେ କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ । ସେମାନଙ୍କ ମିଳନ ପର୍ବ ଓ ଅଣ୍ଡା ଦେବା ପ୍ରକ୍ରିୟାରେ ବାଧା ନଉପୁଜିବା ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ଏମିତିକି ମା’ କୁମ୍ଭୀର ଅଣ୍ଡା ଦେଇ ସାରିବା ପରେ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସେଠାରେ ଜଗି ରହିଥାଏ । ଏହି ସମୟରେ ମା’ କୁମ୍ଭୀର ଅଧିକ ହିଂସ୍ର ହୋଇ ଉଠିଥାଏ । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ମେ ୧ ରୁ ତିନି ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ ।
