ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପାଳନ ଅବସରରେ ନାଗରିକ ସଂଗୋଷ୍ଠୀ ଅନୁଷ୍ଠିତ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପାଳନ ଅବସରରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ପ୍ରମୁଖ ନାଗରିକ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡ଼ିଶା (ପୂର୍ବ) ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଆଦରଣୀୟ ଶ୍ରୀମାନ ଚିତ୍ତ ରଞ୍ଜନ ମହାପାତ୍ରଙ୍କ  ସମେତ ଗଞ୍ଜାମ ବିଭାଗ ସହ ସଂଘ ଚାଳକ ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ ଯୋଗଦେଇ  ସଂଘର ଆଭିମୁଖ୍ୟ ଓ ସଂଘର୍ଷ ବିଷୟରେ ଆଲୋଚନା କରିଥିଲେ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ  ନିରନ୍ତର ଭାବରେ ରାଷ୍ଟ୍ର ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିବା ସହ ସମାଜକୁ ସୁସଙ୍ଗଠିତ କରି ଭାରତକୁ ସାରା ବିଶ୍ୱରେ ପରମ ବୈଭବଶାଳୀ ରାଷ୍ଟ୍ର ଗଠନ ନିମନ୍ତେ ବିଗତ ଏକ ଶତାବ୍ଦୀ ଧରି  ନିରବଚ୍ଛିନ୍ନତାର ସହ କାର୍ଯ୍ୟ କରିଆସୁଛି। ସଂଘର ଶତାବ୍ଦୀ ବର୍ଷରେ ଏହି ସାଧନାର ଚରିତାର୍ଥ ନିମନ୍ତେ ସମାଜର ପ୍ରମୁଖ ନାଗରିକମାନଙ୍କ ସ‌ହିତ ସମ୍ବାଦ କରିବା, ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅତିଥି ଗଣ ମତ ରଖିଥିଲେ।  ଡ଼ଃ ବଳିରାମ କେଶବ ହେଡଗେୱରଙ୍କ ପ୍ରଚେଷ୍ଟାରେ ୧୯୨୫ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ଥାପିତ ହୋଇଥିଲା।ଭାରତର ସ୍ୱାଧୀନତା ସମୟରେ ବାସହୀନ ମାନଙ୍କୁ ଥଇଥାନ, କ୍ରାନ୍ତିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ, କାର୍ଯ୍ୟରେ ଲିପ୍ତ ଥିବା ବକ୍ତା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ।ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଦେଶଭକ୍ତି ଗୀତ ଉପରେ ନୃତ୍ୟ ପରିବେଷଣ କରିବା ସହିତ ଗୁରୁଜୀ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସଂଯୋଜନାରେ ବନ୍ଦେ ମାତରଂ ଗାନ କରିଥିଲେ। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ପ୍ରାକ୍ତନ ବିଧାୟକ ଶ୍ରୀ କେ.ନାରାୟଣ ରାଓ, ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ରାମଜୀ, ଜଗନ୍ନାଥ ସେବା ଦଳ ମୁଖ୍ୟ ଶ୍ରୀ ଦୁର୍ଗା ମାଧବ ପାଣିଗ୍ରାହୀ, ଶ୍ରୀ ଅନାଦୀ ପାଣିଗ୍ରାହୀ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଜପତି ଶାଖା ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟା ଡ଼ଃ କଲ୍ୟାଣୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମାଙ୍କ ସମେତ  ଶ୍ରୀ ଚଣ୍ଡୀ ପ୍ରସାଦ ନାୟକ ପରିଚାଳନାରେ ସହଯୋଗ କରିଥିଲେ। ଆଇନଜୀବୀ ଶ୍ରୀ ରାଜେନ୍ଦ୍ର ପଣ୍ଡା ସଂଘର ଆଭିମୁଖ୍ୟ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସଂଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟବାହ  ଶ୍ରୀ ମନୋଜ ଚୌଧୁରୀ ସମସ୍ତ ଅତିଥି ବୃନ୍ଦ ଓ ଉପସ୍ଥିତ ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।