ସୋସିଆଲ ମିଡିଆରେ KYC ବାଧ୍ୟତାମୂଳକ କରିବାକୁ ସରକାରଙ୍କ ବିଚାର

ଭୁବନେଶ୍ୱର: ଆଧୁନିକ ଯୁଗରେ ସୋସିଆଲ ମିଡିଆ ଆମ ଦୈନିକ ଜୀବନର ଅବିଚ୍ଛିନ୍ନ ଅଂଶ ହୋଇପାରିଛି। କିନ୍ତୁ ଏହା ସହ ଜଡିତ ସମସ୍ୟାମାନେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି ଆକାଉଣ୍ଟ, ଅନଲାଇନ ଠକେଇ, ସାଇବର ଷ୍ଟକିଂ ଏବଂ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଦେଶରେ ଗଭୀର ଚିନ୍ତାର କାରଣ ହୋଇଉଠିଛି। ଏହି ପରିସ୍ଥିତିରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ବ୍ୟବହାର ପାଇଁ KYC (Know Your Customer) ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିବାକୁ ବିଚାର କରୁଛନ୍ତି। ଏକ ସଂସଦୀୟ ସମିତି ଏହା ସନ୍ଦର୍ଭରେ ସୁପାରିଶ କରିଛି, ଯାହା ଅନୁସାରେ ସୋସିଆଲ ମିଡିଆ ସହିତ ଡେଟିଂ ଆପ୍ ଏବଂ ଅନଲାଇନ ଗେମିଂ ପ୍ଲାଟଫର୍ମମାନେ ମଧ୍ୟ ଏହି ନିୟମର ଅଧୀନରେ ଆସିପାରନ୍ତି।

ଏହି ପ୍ରସ୍ତାବର ପ୍ରଧାନ ଲକ୍ଷ୍ୟ ହେଉଛି ଅନଲାଇନ ଜଗତକୁ ଅଧିକ ସୁରକ୍ଷିତ କରିବା, ବିଶେଷକରି ମହିଳା ଓ ଶିଶୁମାନଙ୍କ ପାଇଁ। ଯଦି ଏହା ଲାଗୁ ହୁଏ, ତେବେ ବ୍ୟବହାରକାରୀଙ୍କୁ ନୂଆ ଆକାଉଣ୍ଟ ଖୋଲିବା କିମ୍ବା ଲଗଇନ କରିବା ପୂର୍ବରୁ ପରିଚୟ ପ୍ରମାଣ ପ୍ରଦାନ କରିବାକୁ ପଡିବ। ଏହା ଫଳରେ ଅଜ୍ଞାତ ଭାବରେ ସୋସିଆଲ ମିଡିଆ ବ୍ୟବହାର କରିବା ଆଗାମୀ ଦିନରେ କଠିନ ହୋଇପାରେ। ରିପୋର୍ଟ ଅନୁଯାୟୀ, ନକଲି ପ୍ରୋଫାଇଲଗୁଡ଼ିକ ବର୍ତ୍ତମାନ ସାଇବର ଅପରାଧର ମୂଳ ହେବା ସହ ଠକେଇ, ପରିଚୟ ଚୋରି ଓ ଅନ୍ୟାନ୍ୟ ଅପରାଧରେ ବ୍ୟବହୃତ ହେଉଛି। ଏହିପରି KYC ବ୍ୟବସ୍ଥା ଲାଗୁ ହେଲେ ଏହି ପ୍ରକାର ଅପରାଧକୁ ନିୟନ୍ତ୍ରଣ କରିବାରେ ବହୁ ପର୍ଯ୍ୟନ୍ତ ସହାୟତା ମିଳିପାରିବ ବୋଲି ଆଶା କରାଯାଉଛି।