ସତକୋଶିଆ ନିକଟସ୍ଥ ‘ସୂର୍ଯ୍ୟବନ’ର ଭିତ୍ତିପ୍ରସ୍ତର ସ୍ଥାପନ

ଓଡ଼ିଶା ପର୍ଯ୍ୟଟନକୁ ମିଳିବ ନୂଆ ପରିଚୟ । ପ୍ରକୃତିର କୋଳରେ ଗଢ଼ିଉଠିବ ଅତ୍ୟାଧୁନିକ ବନ ରିସର୍ଟ । ସତକୋଶିଆର ମନୋରମ ପ୍ରାକୃତିକ ପରିବେଶରେ ଆରମ୍ଭ ହୋଇଛି ‘ସୂର୍ଯ୍ୟବନ’ର ଯାତ୍ରା । ଅନୁଗୋଳ ଜିଲ୍ଲାର ଗୁରୁଢ଼ିଠାରେ ଏହି ବନ ରିସର୍ଟର ଭିତ୍ତିପ୍ରସ୍ତର ଫଳକ ଉନ୍ମୋଚନ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସୂର୍ଯ୍ୟ ହସ୍ପିଟାଲିଟି ଗ୍ରୁପ୍‌ର ଉଦ୍ୟମରେ ନିର୍ମାଣ ହେବାକୁ ଥିବା ଏହି ରିସର୍ଟର କାମ ଶେଷ ହେବାକୁ ପ୍ରାୟ ଅଢ଼େଇ ବର୍ଷ ସମୟ ଲାଗିବ ।

ଏହି ଅବସରରେ ଢେଙ୍କାନାଳ ସାଂସଦଙ୍କ ସମେତ ଅନେକ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳର ୧୦ରୁ ୧୧ଟି ପଞ୍ଚାୟତର ଲୋକେ ଉପସ୍ଥିତ ଥିଲେ । ଆୟୋଜକଙ୍କ କହିବା ଅନୁଯାୟୀ, ପ୍ରକୃତିର ଶାନ୍ତ ପରିବେଶ, ନିର୍ମଳ ବାୟୁ ଏବଂ ମହାନଦୀର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ।

କେବଳ ଏକ ରିସର୍ଟ ନୁହେଁ, ବରଂ ଢେଙ୍କାନାଳରୁ ଆଠମଲ୍ଲିକ ପର୍ଯ୍ୟନ୍ତ ଏକ ବ୍ୟାପକ ପର୍ଯ୍ୟଟନ ସର୍କିଟ୍ ଗଢ଼ିବାର ଯୋଜନା ରହିଛି । ଯେଉଁଥିରେ କପିଳାସ, ଜୋରନ୍ଦା, ଢୋକ୍ରା କଳା, ତାଳଚେରର ମା’ ହିଙ୍ଗୁଳା, ସତକୋଶିଆ ମହାନଦୀ ଗଣ୍ଡ, ମା’ ବିଙ୍କେଇ ଏବଂ ଦେଉଳଝାରୀ ଉଷ୍ମ ପ୍ରସ୍ରବଣ ଭଳି ପର୍ଯ୍ୟଟନସ୍ଥଳୀକୁ ଏହି ସର୍କିଟ୍‌ରେ ସାମିଲ କରାଯିବ ।

ଏହି ଅବସରରେ ‘ସୂର୍ଯ୍ୟବନ’ର ପ୍ରଥମ ଝଲକ ଏକ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିବା ବେଳେ କେନ୍ଦ୍ର ଓଡ଼ିଶାର ପର୍ଯ୍ୟଟନକୁ ନେଇ ଏକ ଚଳଚ୍ଚିତ୍ର ମଧ୍ୟ ଦେଖାଯାଇଥିଲା । ଏଥିସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ଚାରାରୋପଣ କରାଯାଇଥିଲା । ତେବେ ସତକୋଶିଆର ଏହି ପ୍ରାକୃତିକ ସମ୍ପଦକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କେତେ ଦୂର ପହଞ୍ଚାଇ ପାରୁଛି ‘ସୂର୍ଯ୍ୟବନ’, ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ ।