ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ସ୍ଥିତ ସରକାରୀ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଭଲିବଲ୍ ପ୍ରତିଯୋଗିତା ୨୦୨୬-୨୭ ଉଦ୍ଯାପିତ ହୋଇଯାଇଛି।ଚାରିଦିନ ଧରି ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳିମାନେ ନିଜର ଉତ୍କୃଷ୍ଟ ଖେଳକୌଶଳ ପ୍ରଦର୍ଶନ କରିଥିଲେ। (ନଭେମ୍ବର 13 )ଆଜି ଫାଇନାଲ୍ ମ୍ୟାଚ୍ ସହ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା।
ଚାରୋଟି ବିଭାଗର ଫଳାଫଳ ଅନୁଯାୟୀ, ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଗଜପତି ଜିଲ୍ଲା ଚାମ୍ପିୟନ୍ ଓ ପୁରୀ ଜିଲ୍ଲା ଉପବିଜେତା ହୋଇଥିବାବେଳେ ୧୪ ବର୍ଷରୁ କମ୍ ବାଳିକା ବିଭାଗରେ କଳାହାଣ୍ଡି ଚାମ୍ପିୟନ୍ ଓ ନୂଆପଡ଼ା ଉପବିଜେତା ହୋଇଛି। ସେହିପରି ୧୭ ବର୍ଷରୁ କମ୍ ବାଳକ ବିଭାଗରେ ପୁରୀ ଚାମ୍ପିୟନ୍ ଓ ବାଲେଶ୍ୱର ଉପବିଜେତା ହୋଇଥିବା ବେଳେ ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ଭୁବନେଶ୍ୱର ଚାମ୍ପିୟନ୍ ଓ ଢେଙ୍କାନାଳ ଉପବିଜେତା ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଜଗନ୍ନାଥ ପାଢ଼ୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାୟଗଡ଼ାସ୍ଥିତ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ସାହୁକାର, କନ୍ଧମାଳ ଜିଲ୍ଲା କ୍ରୀଡ଼ା ଓ ଶାରୀରିକ ଶିକ୍ଷା ନିରୀକ୍ଷକ ସଞ୍ଜୟ କୁମାର ପାତ୍ର, ଗଜପତିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍. ଗିରିଧାରୀ ଏବଂ ଆର୍. ଉଦୟଗିରି ବ୍ଲକ୍ ଶିକ୍ଷା ଅଧିକାରୀ ବୀରେନ୍ଦ୍ର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବିଦ୍ୟାଳୟ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବା ସହିତ ଭବିଷ୍ୟତରେ ଜଣେ ଭଲ ଖେଳାଳୀ ହେବାକୁ କହିଥିଲେ ସେହିପରି ଏଭଳି ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ଦଳଗତ ମନୋଭାବ, ସହଯୋଗ ଓ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ମତ ଦେଇଥିଲେ।ବିଜେତା ଓ ଉପବିଜେତା ଦଳଗୁଡ଼ିକୁ ଅତିଥିମାନେ ଟ୍ରଫି ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନାରେ ରାୟଗଡ଼ାସ୍ଥିତ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଏମ୍. ଭି. ଆପନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ପରିଶେଷରେ ଗଜପତି ଜିଲ୍ଲା କ୍ରୀଡ଼ା ଓ ଶାରୀରିକ ଶିକ୍ଷା ନିରୀକ୍ଷକ ସୁରେନ୍ଦ୍ର କୁମାର ପାତ୍ର ଆୟୋଜକ କମିଟି ପକ୍ଷରୁ ସମସ୍ତ ଅତିଥି, ଖେଳାଳି, ଶିକ୍ଷକ, ଅଧିକାରୀ ଓ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ।