ଭାରତ–ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ବଡ଼ ଫାଇଦା, ସାମୁଦ୍ରିକ ଖାଦ୍ୟ ଓ ହସ୍ତତନ୍ତ ରପ୍ତାନି ବଢ଼ିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭାରତ ଓ ଆମେରିକା ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ବଡ଼ ମାପରେ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗୁରୁବାର ଏକ୍ସ (X) ମାଧ୍ୟମରେ ସେ ଏହି ସୂଚନା ଦେଇ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତି ଏହି ଚୁକ୍ତି ଯୋଗୁ ଏକ ନୂଆ ପରିଚୟ ପାଇବ ବୋଲି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଟାରିଫ୍ ହ୍ରାସ ପାଇବାରୁ ଆମେରିକା ବଜାରରେ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟର ଚାହିଦା ଗୁଣାତ୍ମକ ଭାବେ ବୃଦ୍ଧି ପାଇବ। ଏହାର ସିଧାସଳଖ ଲାଭ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବୃଦ୍ଧିରେ ପ୍ରତିଫଳିତ ହେବ। ଏହି ଚୁକ୍ତି ଓଡ଼ିଶାକୁ ‘ବ୍ଲୁ–ଇକୋନୋମି’ର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭୟତା କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ସହ ଆଧୁନିକ ରେଡିମେଡ ପୋଷାକ ମଧ୍ୟ ବିଶ୍ୱ ବଜାରରେ ଆହୁରି ସହଜରେ ପହଞ୍ଚିପାରିବ। ଟାରିଫ୍ କୋହଳ ହେବା ଫଳରେ ରପ୍ତାନି ପ୍ରକ୍ରିୟା ସହଜ ହେବ ଓ ବୁଣାକାର, ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ। ସମ୍ବଲପୁରୀ ଓ ଅନ୍ୟାନ୍ୟ ଓଡ଼ିଆ ହସ୍ତତନ୍ତ ଆମେରିକା ବଜାରରେ ନୂଆ ଟ୍ରେଣ୍ଡ ସୃଷ୍ଟି କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବିଳମ୍ବିତ ରାତିରେ ଭାରତ–ଆମେରିକା ନୂତନ ବାଣିଜ୍ୟ ଚୁକ୍ତି ଘୋଷଣା କରିଥିଲେ। ଏହାଅନୁଯାୟୀ ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍କୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ଦ୍ୱିପକ୍ଷୀୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ଭାବେ ଦେଖାଯାଉଛି।