ହ୍ୱାଟସଆପ୍‌ରେ ମିଳିବ ରାଜସ୍ବ ସେବା: ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସଆପ୍ ବଟ’ ଉନ୍ମୋଚନ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ରାଜସ୍ବ ସେବାକୁ ଆହୁରି ସହଜ ଓ ସୁଲଭ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ହ୍ୱାଟସଆପ୍‌ ମାଧ୍ୟମରେ ମିଳିବ ରାଜସ୍ବ ସେବା। ଏଥିପାଇଁ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସଆପ୍ ବଟ’ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ୟୁନିଫାଏଡ୍ ହ୍ୱାଟସଆପ୍ ବଟ ଉଦଘାଟିତ ହୋଇଛି। ଆଜିଠୁ 9437292000 ହ୍ୱାଟସଆପ୍ ନମ୍ବରରେ ମେସେଜ୍ କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କିତ ସେବା ଉପଲବ୍ଧ ହେବ।

ଏହି ବଟ ମାଧ୍ୟମରେ ୧୭୦ରୁ ଅଧିକ ଜରୁରୀ ସରକାରୀ ଓ ନାଗରିକ କେନ୍ଦ୍ରିକ ସେବା ୨୪ ଘଣ୍ଟା ମଧ୍ୟରେ ପାଇହେବ। ଜମି-ଜମା ସମ୍ପର୍କିତ ଅଭିଯୋଗ, ଆବେଦନ, ସୂଚନା ଓ ସେବା ପାଇଁ ଆଉ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେବା ପାଇବାରେ କୌଣସି ବ୍ୟାଘାତ ହେଲେ ଆବେଦନକାରୀ ହ୍ୱାଟସଆପ୍ ମାଧ୍ୟମରେ ଅଭିଯୋଗ ମଧ୍ୟ ଦାଖଲ କରିପାରିବେ। ଏହାସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ୫୭ଟି ନୂତନ ଉପ-ନିବନ୍ଧନ କାର୍ଯ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସରକାରୀ ସେବାକୁ ଲୋକମାନଙ୍କ ଦ୍ୱାରକୁ ପହଞ୍ଚାଇବା ସହ ସୁଶାସନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।