ତିରୁବନନ୍ତପୁରମ: ପଞ୍ଚମ ଟି-୨୦ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ୪୬ ରନରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ୪-୧ରେ କବଜା କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୨୭୧ ରନର ବିଶାଳ ସ୍କୋର କରିଥିଲା। ଏହା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ତୃତୀୟ ସର୍ବାଧିକ ସ୍କୋର। ଜବାବରେ, ନ୍ୟୁଜିଲାଣ୍ଡ ଦଳ ୨୦ ଓଭର ପୂରଣ କରିପାରିନଥିଲା ଏବଂ ୨୨୫ ରନରେ ଅଲଆଉଟ୍ ହୋଇଯାଇଥିଲା।
ଭାରତ ପାଇଁ ସଞ୍ଜୁ ସାମସନ ପୁଣିଥରେ ବିଫଳ ହୋଇ ମାତ୍ର ୬ ରନ କରି ଆଉଟ୍ ହୋଇଥିଲେ। ଅଭିଷେକ ଶର୍ମା ୧୬ ବଲରୁ ୩୦ ରନର ଦ୍ରୁତ ପାଳି ଖେଳିଥିଲେ। ଭାରତର ପ୍ରମୁଖ ଟି-୨୦ ୱିକେଟ୍ ଟେକର ଅର୍ଶଦୀପ ସିଂହ ଏହି ମ୍ୟାଚ୍ରେ ନିଜ କ୍ୟାରିଅରର ପ୍ରଥମ ୫-ୱିକେଟ୍ ହଲ୍ ନେଇଥିଲେ। ସେ ୪ ଓଭରରେ ୫୧ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। ସମଗ୍ର ସିରିଜ୍ରେ ସେ ସର୍ବାଧିକ ୮ଟି ୱିକେଟ୍ ନେଇ ଶ୍ରେଷ୍ଠ ବୋଲର ହୋଇଥିଲେ।
ଇଶାନ୍ କିଶାନ୍ ୪୨ ବଲରେ ଶତକ ପୂରଣ କରି ୪୩ ବଲରୁ ୧୦୩ ରନ୍ କରିଥିଲେ। ତାଙ୍କ ପାଳିରେ ୧୦ଟି ଛକା ଓ ୬ଟି ଚୌକା ସାମିଲ ଥିଲା। ଏହା ଭାରତ ପାଇଁ ଟି-୨୦ ଅନ୍ତର୍ଜାତୀୟରେ ପଞ୍ଚମ ଦ୍ରୁତତମ ଶତକ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସବୁଠୁ ଦ୍ରୁତ ଶତକ ରେକର୍ଡ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଭାରତ ୪-୧ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନାଗପୁରରେ ପ୍ରଥମ ମ୍ୟାଚ୍ରେ ଭାରତ ୪୧ ରନରେ ଜିତିଥିଲା। ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ୭ ଓ ୮ ୱିକେଟ୍ରେ ବିଜୟ ମିଳିଥିଲା। ବିଶାଖାପାଟଣାରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୫୦ ରନରେ ଜିତିଥିଲା। ପଞ୍ଚମ ମ୍ୟାଚ୍ରେ ଭାରତ ଜୋରଦାର ପ୍ରତ୍ୟାବର୍ତ୍ତନ କରି ୪୬ ରନରେ ବିଜୟ ହାସଲ କରିଛି।