ଭୁବନେଶ୍ୱର: ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଆରମ୍ଭ ହୋଇଛି। ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ବିଧାୟକ ବାବୁ ସିଂ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି କୌଣସି ଯାତ୍ରା କମିଟି ନିୟମ ଅମାନ୍ୟ କରି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରେ, ତେବେ ସରକାରୀ ଠେଙ୍ଗା ବାଜିବ। ଆଗରୁ ସମସ୍ତ ଯାତ୍ରା କମିଟି ସହ ଆଲୋଚନା ସମ୍ପନ୍ନ ହୋଇଥିବା ବେଳେ, କମିଟିମାନେ ଅଶ୍ଳୀଳ ନୃତ୍ୟକୁ ଆଦୌ ପ୍ରଶୟ ନ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପକ୍ଷରେ, ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ଯାତ୍ରା କମିଟିକୁ ୧୪ ସୂତ୍ରୀ ନିୟମାବଳୀ ଜାରି କରାଯାଇଛି। ଏହି ନିୟମ ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପରିବାର ସହିତ ଆସୁଥିବା ଦର୍ଶକ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଏବଂ ସାଂସ୍କୃତିକ ମୂଲ୍ୟବୋଧ ରକ୍ଷା ପାଇଁ ଏହି କଡ଼ା ନିୟମ ଜାରି କରାଯାଇଛି। ଯାତ୍ରାକୁ ଶୃଙ୍ଖଳିତ ଓ ମର୍ଯ୍ୟାଦାପୂର୍ଣ୍ଣ ଭାବେ ଆୟୋଜନ କରିବାକୁ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି।