ଭୁବନେଶ୍ଵର: ରାଜ୍ୟରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁପ୍ରବାହ ବଢ଼ିଛି । ଏହା ଆହୁରି ଶକ୍ତିଶାଳୀ ହେଉଛି। ଏହା ପ୍ରଭାବରେ ୧୭ ତାରିଖ ଯାଏ ପୂରା ରାଜ୍ୟକୁ ଥରାଇବ ଶୀତ । କିନ୍ତୁ ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ପାଗ ମେଘୁଆ ରହିବ । ଏହା ତାପମାତ୍ରା ବଢ଼ାଇବା ସହ ଶୀତ କମିଯିବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।
ଗୁରୁବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଫୁଲବାଣୀରେ ୬, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରହିପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ । ଶୁକ୍ରବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଖାଇଛି । ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ଅଛି । ଏଥିପାଇଁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢ଼ିଛି । ଜଳୀୟବାଷ୍ପର ପରିମାଣ ବି କମିଛି । ଏହାଫଳରେ ଶୀତର ପ୍ରକୋପ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।