ଟେଲିଭିଜିନ୍ ଜଗତରୁ ଆସିଲା ବଡ଼ ଖବର, ୧୫ ବର୍ଷ ପରେ ଅଲଗା ହେବେ ଜୟ-ମାହି

ମୁମ୍ବାଇ: ଟେଲିଭିଜିନ୍ ଜଗତରୁ ଆସିଲା ବଡ଼ ଖବର। ଟିଭିର ଫେମସ୍ କପଲ୍ ଜୟ ଭାନୁଶାଳୀ ଏବଂ ମାହି ଭିଜ ଶେଷରେ ଛାଡପତ୍ର ନେଇଛନ୍ତି। ସେମାନଙ୍କ ଅଲଗା ହେବାର ଗୁଜବ ବହୁତ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା, କିନ୍ତୁ ଏବେ ଜୟ ଶେଷରେ ତାଙ୍କର ନୀରବତା ଭାଙ୍ଗି ମାହି ଭିଜଙ୍କ ସହିତ ତାଙ୍କର ଛାଡପତ୍ରକୁ ନିଶ୍ଚିତ କରିଛନ୍ତି। ମାହି ଏବଂ ଜୟଙ୍କ ୧୪ ବର୍ଷର ବିବାହ ଶେଷ ହୋଇଛି। ପୋଷ୍ଟ ଶେୟାର କରି ଜୟ ଲେଖିଛନ୍ତି, “ଆମ ସମ୍ପର୍କରେ କୌଣସି ଖଳନାୟକ ନାହାଁନ୍ତି।” ଜୟ ଭାନୁଶାଳୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଲମ୍ୱା ପୋଷ୍ଟ ସେୟାର କରିଛନ୍ତି। ଅଭିନେତା ଲେଖିଛନ୍ତି, “ଆଜି ଆମେ ଜୀବନର ଏହି ଯାତ୍ରାରେ ଭିନ୍ନ ପଥ ବାଛିବାକୁ ନିଷ୍ପତ୍ତି ନେଉଛୁ, କିନ୍ତୁ ଆମେ ସବୁବେଳେ ପରସ୍ପର ସହିତ ରହିବୁ। ଶାନ୍ତି, ଆଗକୁ ବଢ଼ିବା, ଦୟା ଏବଂ ମାନବିକତା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେ ସବୁବେଳେ ଆମର ପିଲା, ତାରା, ଖୁସି ଏବଂ ରାଜବୀରଙ୍କ ପାଇଁ ଭଲ ପିତାମାତା ସହ ଭଲ ବନ୍ଧୁ ହେବୁ ଏବଂ ସେମାନଙ୍କ ମଙ୍ଗଳ ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ।’’

ଜୟ ଭାନୁଶାଳୀ ଏବଂ ମାହି ବିଜ୍ ୨୦୧୧ ମସିହାରେ ବିବାହ କରିଥିଲେ । ୨୦୧୭ ମସିହାରେ ସେମାନେ ରାଜବୀର ଏବଂ ଖୁସି ନାମକ ଦୁଇଟି ସନ୍ତାନକୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ । ୨୦୧୯ ମସିହାରେ ମାହି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ତାରା । ଏବେ ୧୫ ବର୍ଷର ବିବାହ ପରେ, ଏହି ଦମ୍ପତି ଅଲଗା ହୋଇଛନ୍ତି ଏବଂ ସେମାନଙ୍କ ପିଲାମାନଙ୍କୁ ସହ-ପାଳନ କରିବେ । ମାହି ବିଜ୍ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସମାନ କାହାଣୀ ପୋଷ୍ଟ କରିଛନ୍ତି । ତେବେ ଉଭୟ ଅଲଗା ହେବା ପରେ ମଧ୍ୟ ପରସ୍ପରର ଭଲ ବନ୍ଧୁ ହୋଇ ରହିବାର ନିଷ୍ପତ୍ତି ନେଇଛନ୍ତି ।