ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ବୈଭବଙ୍କୁ ନେଇ ଏବେ ଏକ ଭିନ୍ନ ପ୍ରସଙ୍ଗ ସାମ୍ନାକୁ ଆସିଛି। ତାଙ୍କ ବ୍ୟାଟିଂ କିମ୍ବା ରେକର୍ଡ ନୁହେଁ, ବରଂ ୟୁକେର ଏକ କଡ଼ା ସୁରକ୍ଷା ନିୟମ ଯୋଗୁଁ ସେ ଖବରର ଶିରୋନାମାରେ ରହିଛନ୍ତି।

ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ଶିଶୁ ସୁରକ୍ଷା ନୀତି ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର କୌଣସି ଖେଳାଳି ବୟସ୍କ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍ କିମ୍ବା ସାୱାର ସୁବିଧା ସେୟାର କରିପାରିବେ ନାହିଁ। ଯେହେତୁ ବୈଭବଙ୍କ ବୟସ ଏବେ ୧୫ ବର୍ଷ, ତେଣୁ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଡ୍ରେସିଂ ରୁମ୍ ବ୍ୟବସ୍ଥା କରାଯିବ। ଫଳରେ ସେ ସଞ୍ଜୁ ସାମସନ, ଶ୍ରେୟସ ଆୟର ଓ ଅନ୍ୟ ବରିଷ୍ଠ ଖେଳାଳିଙ୍କ ସହ ମାଠରେ ଅଭ୍ୟାସ କରିବେ, ଦଳ ବୈଠକରେ ଯୋଗଦେବେ, କିନ୍ତୁ ଡ୍ରେସିଂ ରୁମ୍ ଅଲଗା ରହିବ।

ସୂଚନା ଅନୁଯାୟୀ, ଆବଶ୍ୟକ ହେଲେ ବୈଭବ ମୁଖ୍ୟ ଡ୍ରେସିଂ ରୁମ୍ ବ୍ୟବହାର କରିପାରିବେ, କିନ୍ତୁ ସେତେବେଳେ ସେଠାରେ ଅନ୍ୟ କୌଣସି ଖେଳାଳି ଉପସ୍ଥିତ ରହିପାରିବେ ନାହିଁ। ଏହି ନିୟମ କେବଳ କ୍ରିକେଟରେ ନୁହେଁ, ବରଂ ବ୍ରିଟେନର ବିଭିନ୍ନ ଖେଳରେ ମଧ୍ୟ କଡ଼ାକଡ଼ି ଭାବରେ ପାଳନ କରାଯାଏ।

ଅନ୍ୟପଟେ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏହି ମାମଲାରେ କୌଣସି ହସ୍ତକ୍ଷେପ କରିବ ନାହିଁ ବୋଲି ଜଣାପଡ଼ିଛି। କାରଣ ଭାରତ-ଆୟରଲ୍ୟାଣ୍ଡ ଓ ଭାରତ-ଇଂଲଣ୍ଡ ସିରିଜ ଦ୍ୱିପାକ୍ଷିକ ସିରିଜ ହୋଇଥିବାରୁ ସ୍ଥାନୀୟ ଆଇନ ଏବଂ ସୁରକ୍ଷା ନିୟମ ଲାଗୁ ହେବ। ଆୟରଲ୍ୟାଣ୍ଡ ଗସ୍ତ ସମୟରେ ମଧ୍ୟ ବୈଭବଙ୍କ ପାଇଁ ସମାନ ବ୍ୟବସ୍ଥା ରହିବ।
ତେବେ ଏହି ସବୁ ନିୟମ ମଧ୍ୟରେ ଏବେ ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ସେ ଯଦି ଏହି ଗସ୍ତରେ ଡେବ୍ୟୁ କରିବାର ସୁଯୋଗ ପାଆନ୍ତି, ତେବେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ଭାବେ ଇତିହାସ ରଚିବେ। ତାଙ୍କ ପ୍ରତିଭା ଏବଂ ଭବିଷ୍ୟତକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।